ଦିଲ୍ଲୀ ସରକାର ଶିକ୍ଷା ନାଁରେ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି: ବିଜେପି

ଏମାନେ ଶୌଚାଳୟକୁ ବି ଶ୍ରେଣୀଗୃହ ସହ ମିଶାଇ ଗଣାନା କରିଛନ୍ତି…..

ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଛି ରଜନୈତିକ ହଲଚଲ । ଆପ ସରକାରଙ୍କୁ ଘେରିଛି ବିଜେପି । ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ଆଣି ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁ ମୁହଁ ଟାଣ ଦେଖାଉଛନ୍ତି ତାହାକୁ ନେଇ ଆପ ସରକାରକୁ ବିଜେପି ବାଣ ମାରିଛି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀର ଆପ ସରକାରକୁ ପାପ ସରକାରର ବୋଲି କହି ବର୍ଷିଛନ୍ତି ।

ଗୌରବ କହିଛନ୍ତି ନିର୍ବାଚନୀ ମେନିଫେଷ୍ଟୋରେ ଆପ ଦିଲ୍ଲୀରେ ୫୦୦ ନୂଆ ସ୍କୁଲ ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହି ପ୍ରତିଶ୍ରୁତି ପୂରଣ ହେଲା ନାହିଁ । ସ୍କୁଲରେ ୨୪୦୦ ଶ୍ରେଣୀଗୃହର ଆବଶ୍ୟକତା ଥିଲା ଏବେ ଏହାକୁ ବୃଦ୍ଧି କରି ୭୧୮୦ଟି କରାଯାଇଛି । ଏହାଦ୍ୱାରା ବଜେଟରେ ୩୨୬ କୋଟି ଟଙ୍କାର ଅଧିକ ବ୍ୟୟବରାଦ ହୋଇଛି । ଏମାନେ ଶୌଚାଳୟକୁ ବି ଶ୍ରେଣୀଗୃହ ସହ ମିଶାଇ ଗଣାନା କରିଛନ୍ତି ।

ଦିଲ୍ଲୀ ସରକାର ଶିକ୍ଷା ନାଁରେ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି । କେବଳ ସେତିକି ନୁହେଁ କେଜ୍ରିୱାଲ ସରକାର ଦୁର୍ନୀତିରେ ବୁଡି ରହିଥିବା ସେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଇଏ ଆପ୍‌ ନୁହେଁ ପାପ । ସବୁ ବିଭାଗରୁ ଦୁର୍ନୀତିର ଗନ୍ଧ ଆସୁଛି । କାରଣ ଆପର ଡିଏନଏରେ ହିଁ ଦୁର୍ନୀତି ରହିଛି । ଆପର କେବଳ ଗୋଟିଏ ସ୍ୱପ୍ନ ‘ନ୍ୟୁୟର୍କ ଟାଇମ୍ସ କା ନାମ ଜପନା ଓ ଜନତା କା ମାଲ ଅପନ’ ବୋଲି ବିଜେପି କହିଛି ।