ଦିଲ୍ଲୀ ପୁଲିସକୁ କ୍ଲିନଚିଟ୍: ଜେଏନୟୁ ହିଂସା

ନୂଆଦିଲ୍ଲୀ: ଚଳିତ ବର୍ଷ ହୋଇଥିବା ଦିଲ୍ଲୀ ଜେଏନୟୁ ହିଂସାରେ ଦିଲ୍ଲୀ ପୁଲିସ ସ୍ଥାନୀୟ ପୁଲିସକୁ ଦେଇଛି କ୍ଲିନଚିଟ୍ । ଜେଏନୟୁ ହିଂସା ମାମଲାରେ ସ୍ଥାନୀୟ ପୁଲିସର ଅବହେଳା ପାଇଁ ହିଂସା ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏବେ ଦିଲ୍ଲୀ ପୁଲିସ ମାମଲାର ତଦନ୍ତ କରି ସ୍ଥାନୀୟ ପୁଲିସକୁ କ୍ଲିନଚିଟ୍ ଦେଇଛି। ଏହାପରେ ଦିଲ୍ଲୀ ପୁଲିସ ମାମଲାକୁ ଗୁରୁତର ସହ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ତଦନ୍ତ କରିଥିଲା।

ସୂଚନା ଅନୁସାରେ, ଜାନୁଆରୀ ୫ରେ ପ୍ରାୟ ୧୦୦ ଜଣ ମୁହଁରେ କପଡ଼ା ବା ମୁଖା ପିନ୍ଧି ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିଲେ। ଏହାପରେ ପ୍ରାୟ ଚାରି ଘଣ୍ଟା ଧରି ଭଙ୍ଗାରୁଜା କରିଥିଲେ। ଏଥିରେ ବିଶ୍ୱ ବିଦ୍ୟାଳୟର ଛାତ୍ର, ଶିକ୍ଷକ ଏବଂ କର୍ମଚାରୀଙ୍କ ସମେତ ମୋଟ୍ ୩୬ ଜଣ ଆହତ ହୋଇଥିଲେ। ଏହାପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା ମଧ୍ୟ ଏହି ମାମଲାରେ ଏଯାବତ କେହି ଗିରଫ ହୋଇ ନାହାନ୍ତି।

ଭଙ୍ଗାରୁଜା ବେଳେ ପୁଲିସ କ୍ୟାମ୍ପସ ଭିତରକୁ ଯାଇ ନଥିଲା। ତେଣୁ ପୁଲିସକୁ ହିଂସା ପାଇଁ ଦାୟୀ କରାଯାଉଥିଲା। ଏହାର ଜବାବରେ ସ୍ଥାନୀୟ ପୁଲିସ କହିଥିଲା ଯେ ଜେଏନୟୁ ଭିତରକୁ ଯିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନର ଅନୁମତି ଦରକାର ଥିଲା। ଏହାପରେ ଡିସିପି ଅପରାହ୍ନ ପ୍ରାୟ ୫ଟାରେ ଅନ୍ୟ ପୁଲିସଙ୍କୁ ଧରି କ୍ୟାମ୍ପସକୁ ଯାଇଥିଲେ। ହେଲେ ସେତେବେଳେକୁ ସବୁ କିଛି ସ୍ୱାଭାବିକ ହୋଇଯାଇଥିବ ଦେଖି ଫେରି ଆସିଥିଲେ। ଫ୍ୟାକ୍ଟ ଫାଇଣ୍ଡିଂ କମିଟି ତଦନ୍ତ କରି କହିଛି ଯେ ହିଂସା ହୋଇଥିଲେ ମଧ୍ୟ ପୁଲିସର ହସ୍ତକ୍ଷେପ ପରେ ସେଠାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଅନ୍ୟପଟେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ଲକ ନିକଟରେ ୨୭ ଜଣ ପୁଲିସ ସାଧା ପୋଷାକରେ ଥିଲେ। ଆନ୍ଦୋଳନକାରୀ ଯେମିତି ଧାରଣା ନଦେବେ ସେ ନେଇ ପୁଲିସ ଗୁରୁତ୍ୱ ଦେଇଥିଲା ।