ଚଳିତ ବର୍ଷ ମାର୍ଚ୍ଚ ମାସରେ ହୃଦଘାତର ଶିକାର ହୋଇ ଚାରିଦିନ ପାଇଁ ଦିଲ୍ଲୀ ଏମ୍ସ ବୁଲି ଯାଇଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ସବୁ କିଛି ଠିକଠାକ୍ ଥିଲା । ତେବେ ସୋମବାର ଦିନ ଧନଖଡ ରାଜ୍ୟସଭା ସଦନରେ ଉପସ୍ଥିତ ରହି ଅଚାନକ ତାଙ୍କର ଇସ୍ତଫା ନିଷ୍ପତି ଶୁଣାଇ ଦେଲେ । ଅଧିକାଂଶ ସାଂସଦ କାନକୁ ବିଶ୍ୱାସ କରିପାରିଲେନି । କିନ୍ତୁ ଧନଖଡ ଯେତେବେଳେ କହିଲେ କି ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ଶାସକ ଦଳର ସଭ୍ୟମାନଙ୍କ ନିକଟରେ ଆଉ କିଛି କହିବାକୁ ଉଚିତ ମଣି ନଥିଲେ । ଡାକ୍ତରଙ୍କ ପରାମର୍ଶକୁ କିପରି ଅସ୍ୱୀକାର କରିପାରିବେ ଧନଖଡ?
କିନ୍ତୁ ବିରୋଧୀ ଶିବିରରୁ ଆଉ ଗୋଟିଏ କଥା ସାମ୍ନାକୁ ଆସିଛି । ବିବାଦୀୟ ବିଚାରପତି ୟଶବନ୍ତ ବର୍ମାଙ୍କ ମାମଲାରେ ୫୦ରୁ ଅଧିକ ସାଂସଦଙ୍କ ଦସ୍ତଖତ ଥିବା ଏକ ଚିଠିକୁ ଗ୍ରହଣ କରିବା ପରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଧନଖଡ ଇସ୍ତଫା ପ୍ରତି ମନ ବଳାଇଲେ? ରାଜ୍ୟସଭାକୁ ଜଣାଇ ଦିଆଗଲା ଯେ ଜୁଲାଇ ୨୩ ତାରିଖ ଦିନ ଧନଖଡଙ୍କୁ ଜୟପୁର ଯିବାର ଅଛି । କିନ୍ତୁ ସନ୍ଧ୍ୟା ସମୟରେ ଉପରାଷ୍ଟ୍ରପତି ଧନଖଡ ରାଷ୍ଟ୍ରପତି ଭବନକୁ ଯାଇ ନିରବରେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରି ଫେରି ଆସିଲେ ।