ଏଜେଡି ବିନା ମୁଖ୍ୟମନ୍ତ୍ରୀ ହୋଇପାରିବେନି ଧର୍ମେନ୍ଦ୍ର

ଓଡ଼ିଶା ବିଜେପିକୁ ସେନାପତି ଦେଲେନି ପ୍ରଧାନମନ୍ତ୍ରୀ……

ନୂଆଦିଲ୍ଲୀ: ୨୪ ମହାସମର ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ୧୩ ଜଣ ସେନାପତିଙ୍କ ନାମ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ, ତେଲେଙ୍ଗାନା, ବିହାର ସମେତ ୧୩ ରାଜ୍ୟ ବିଜେପିକୁ ସେନାପତି ମିଳିଥିଲା ବେଳେ ଓଡ଼ିଶା ବିଜେପିକୁ ସେନାପତି ମିଳିବା ବିଳମ୍ବ ହେଉଛି । ଓଡ଼ିଶା ପାଇଁ ସେନାପତି ନିଯୁକ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଜୀ ଓଡିଶା ଗସ୍ତରେ ଆସିଥିବା ୫ ଜଣ ମନ୍ତ୍ରୀଙ୍କ ରିପୋର୍ଟ ଉପରେ ନିର୍ଭର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏକପ୍ରକାର ଜିଦ କରୁଥିବାରୁ ଓଡ଼ିଶା ପାଇଁ ସେନାପତି ନିଯୁକ୍ତ ପ୍ରକ୍ରିୟା ଡେରି ହେଉଛି । ବିଜେଡିର ମୁଖିଆ ପଦବୀରେ ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ କେବେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଶାସକ ବିଜେଡି’ର ଦମ୍ଭପଣିଆକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟିମକୁ ଘନଘନ ଓଡିଶା ଗସ୍ତରେ ପଠାଉଛନ୍ତି ।

୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯାଦୁ ଓଡିଶାରେ କାମ କଲାନି; ୨୦୨୪ରେ କାମ କରିବନି ବୋଲି ବିଜେଡି ଦୃଢ଼ତାର ସହ କହିଛି । ରାଜ୍ୟର ଅଧିକାଂଶ ଜନତା କଂଗ୍ରେସ, ବିଜେପି ଓ ବିଜେଡିଠାରୁ ମୁହଁ ମୋଡ଼ି ନେଇଛନ୍ତି । ସେମାନଙ୍କ ଭିତରୁ ୩୭ ପ୍ରତିଶତ ଭୋଟର ମତଦାନ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଏଡ଼ାଇ ଯାଉଥିଲା ବେଳେ ଅବଶିଷ୍ଟ ଛୋଟଛୋଟ ଦଳ ବା ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି । ମାତ୍ର ଏଥର ଆମ୍‌ ଆଦ୍‌ମୀ ପାର୍ଟି, ରାଷ୍ଟ୍ରୀୟ ପରିବର୍ତନ ଦଳ ଓ ଆମ ଜନତା ଦଳ ଭଳି ପାର୍ଟି ନିର୍ବାଚନ ମଇଦାନକୁ ଓହ୍ଲାଉଥିବାରୁ ୨୪ ମହାସମର ବେଶ ରୋମାଂଚକର ହେବ ବୋଲି କୁହାଯାଉଛି ।

ସବୁ ଛୋଟଦଳ ଏକଜୁଟ ହୋଇ ଲଢ଼ିଲେ, ଜିତିବାର ସମ୍ଭାବନା ଅଛି ବୋଲି ରାଜନୀତି ବିଶାରଦମାନେ କହୁଛନ୍ତି । କିନ୍ତୁ ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟ ଆବାହକ ଏକପ୍ରକାର ଅହଂକାର ମନୋଭାବ ରଖୁଥିବାରୁ ତାଙ୍କ ସହିତ କେହି ହାତ ମିଳାଇବାକୁ ରାଜି ହେଉନାହାନ୍ତି । ତେବେ ରାଷ୍ଟ୍ରୀୟ ପରିବର୍ତନ ଦଳ ଓ ଆମ ଜନତା ଦଳ ଏକ ହୋଇ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି । ଆମ ଜନତା ଦଳ’କୁ ଜାତୀୟ ଅନୁସୂଚୀତ ଜାତି/ଜନଜାତି ଓ ସଂଖ୍ୟାଲଘୁ ମହାସଂଘ (ଏନ୍‌ୟୁବିସି) ସମର୍ଥନ କରୁଛି । ‘ରାଷ୍ଟ୍ରୀୟ ପରିବର୍ତନ ଦଳ ବା ଆରପିଡି’ ପଞ୍ଜୀକୃତ ଦଳ ଭାବେ ପଛୁଆ ବର୍ଗକୁ ପ୍ରତିନିଧିତ୍ୱ କରୁଛି । ‘ଆମ ଜନତା ଦଳ ବା ଏଜେଡି’ ପଞ୍ଜୀକରଣ ପାଇଁ ଦସ୍ତାବିଜ ପ୍ରସ୍ତୁତ କରୁଛି ।

ମାସକ ଭିତରେ ଏଜେଡି ପଞ୍ଜୀକୃତ ଦଳ ହୋଇଯିବ ବୋଲି ଆବାହକ ସୀତାରାମ ବେହେରା କହିଛନ୍ତି । ବିନା ପଞ୍ଜୀକରଣରେ ଏଜେଡି ପଦାକୁ ବାହାରିବା ଉଚିତ ହେବନି ବୋଲି ଦଳର ଅନ୍ୟ ଜଣେ ବରିଷ୍ଠ ନେତା କହିଛନ୍ତି । ଏଜେଡିକୁ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ବୋଲି ଅଧିକାଂଶ ଭାବୁଛନ୍ତି । ମାତ୍ର ଏଜେଡି’ରେ ଅସନ୍ତୁଷ୍ଟ ବିଜେଡିର ଜଣେ ବି ନେତା ନଥିବା ସାକ୍‌ସୀ ନ୍ୟୁଜ ସ୍ପଷ୍ଟ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରିବା ଭଳି ଦକ୍ଷ ବ୍ୟକ୍ତିତ୍ୱଙ୍କ ସନ୍ଧାନରେ ଅଛି ଏଜେଡି । ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ କ୍ରମେ ତୀବ୍ରତର ହୋଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଅଧିକ ପରାକ୍ରମଶାଳୀ ହୋଇଥିବାରୁ ଅନ୍ୟ ଗୋଷ୍ଠୀଗୁଡ଼ିକ ଏକପ୍ରକାର ଚୁପ ରହିବାକୁ ବାଧ୍ୟ ହୋଇଛନ୍ତି । କେନ୍ଦ୍ର ବିଜେପିର ଚାପରେ ପଡ଼ି ଅନ୍ୟ ଗୋଷ୍ଠୀଗୁଡ଼ିକ ଉପରକୁ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରୁଥିଲେ ମଧ୍ୟ ପଛରେ ଚେର କାଟିବାକୁ ଭୁଲିବେନି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବହୁ ଭାବିଚିନ୍ତି ୧୩ଟି ରାଜ୍ୟ ପାଇଁ ସେନାପତି ନିଯୁକ୍ତ କରିଛନ୍ତି । ବିନୋଦ ତାଓଡେଙ୍କୁ ବିହାର, ଓମ୍‌ ମାଥୁରଙ୍କୁ ଛତିଶଗଡ଼, ବିପ୍ଲବ କୁମାର ଦେବଙ୍କୁ ହରିଆଣା, ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡ଼ଖଣ୍ଡ, ପ୍ରକାଶ ଜାବଡେକରଙ୍କୁ କେରଳ, ରାଧାମୋହନ ଅଗ୍ରୱାଲଙ୍କୁ ଲାକ୍ଷାଦ୍ୱୀପ, ପି ମୁରଲୀଧର ରାଓଙ୍କୁ ମଧ୍ୟପ୍ରଦେଶ, ବିଜୟ ରୂପାନୀଙ୍କୁ ପଞ୍ଜାବ ଓ ଚଣ୍ଡିଗଡ଼, ତରୁଣ ଚୁଘଙ୍କୁ ତେଲେଙ୍ଗାନା, ଅରୁଣ ସିଂହଙ୍କୁ ରାଜସ୍ଥାନ, ମହେଶ ଶର୍ମାଙ୍କୁ ତ୍ରିପୁରା, ମଙ୍ଗଲ ପାଣ୍ଡେଙ୍କୁ ପଶ୍ଚିମବଙ୍ଗ ଓ ସମ୍ବିତ ପାତ୍ରଙ୍କୁ ପୂର୍ବୋତର ଭାରତ ପାଇଁ ସେନାପତି ଦାୟତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନରେ ଯଥେଷ୍ଟ ସହାନୁଭୂତି ରହିଛି ।