ଅଡୁଆରେ ନିର୍ଦ୍ଦେଶକ ମହେଶ ମଞ୍ଜରେକର

ମୁମ୍ବାଇ : ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକର ବିରୋଧରେ ମାମଲା ରୁଜୁ କରାଯାଇଛି । ମହେଶ ମଞ୍ଜରେକର ଆଗାମୀ ମରାଠୀ ଫିଲ୍ମ ‘ନାୟ ବରନ ଭାତ ଲୋଞ୍ଚା କୋନ ନାୟ କୋଞ୍ଚା’ ଏବେ ବିବାଦରେ ଅଛି । ଏହି ଫିଲ୍ମରେ ନାବାଳକଙ୍କ ସହ ଆପତ୍ତିଜନକ ଦୃଶ୍ୟ ନେଇ ଅଭିଯୋଗ ହୋଇଛି । ଯାହା ମହେଶଙ୍କ ବିରୋଧରେ ଆଇପିସି ଧାରା ୨୯୨, ୩୪, ପୋକ୍ସୋ ଧାରା ୧୪ ଏବଂ ଆଇଟି ଧାରା ୬୭ ଓ ୬୭-ବି ଆଧାରରେ ମାମଲା ରୁଜୁ କରାଯାଇଛି । କୋର୍ଟ ଏହି ମାମଲାର ମଧ୍ୟ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ଏହି ଫିଲ୍ମରେ ପିଲାମାନଙ୍କୁ ଆପତ୍ତିଜନକ ସିନର ସୁଟିଂ କରିବା ଅଭିଯୋଗ କରାଯାଇଥିଲା । ଏ ନେଇ ଏକ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଏହାର ତଦନ୍ତ କରିବାକୁ ସ୍ଥାନୀୟ ପୋଲିସ ନିର୍ଦ୍ଦେଶ ଦେଇଥିଲେ । ଏହି ତାଲିକାରେ ନିର୍ଦ୍ଦେଶକ ଓ ଅଭିନେତା ମହେଶ ମଞ୍ଜରେକରଙ୍କ ନାଁ ମଧ୍ୟ ସାମିଲ୍‌ ଥିଲା । ଅନ୍ୟପକ୍ଷରେ ମରାଠୀ ଫିଲ୍ମ ‘ନାୟ ବରନ ଭାତ ଲୋଞ୍ଚା କୋନ ନାୟ କୋଞ୍ଚା’ର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଏହାର କଣ୍ଟେଟକୁ ନେଇ ଅଭିଯୋଗ ହୋଇଥିଲା । ଟ୍ରେଲରରେ ଦେଖାଯାଇଥିବା ଶିଶୁ ଓ ମହିଳାଙ୍କ ଯୌନ ଦୃଶ୍ୟକୁ ନେଇ ଖୁବ୍‌ ବିବାଦ ହୋଇଥିଲା । ଏ ନେଇ ଦୁଇଟି ସଂସ୍ଥା ପକ୍ଷରୁ ଅଭିଯୋଗ ହୋଇଥିଲା । ଯାହା ପରେ ମହେଶଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଏହି ଫିଲ୍ମକୁ ବ୍ୟାନ୍‌ କରିବା ପାଇଁ ଦାବି କରାଯାଇଥିଲା ।