ବେଟୋନ୍ ରୌଗ: ଲୁଇସିଆନାରେ ପ୍ରଥମ କରି ଜଣେ ଆସାମୀଙ୍କୁ ନାଇଟ୍ରୋଜେନ୍ ଗ୍ୟାସ୍ ଚାମ୍ବରରେ ପୁରାଇ ପ୍ରାଣଦଣ୍ଡ ପ୍ରଦାନ କରିବାର ବ୍ୟବସ୍ଥାକୁ ସପ୍ତାହକ ପାଇଁ ଗଡ଼ାଇ ଦେଇଛନ୍ତି ଜିଲ୍ଲା ଦୌରାଜଜ ଜଷ୍ଟିସ୍ ସେଲି ଡିକ୍ । ଗତ ୧୫ ବର୍ଷ ଭିତରେ ଲୁଇସିଆନାରେ କୌଣସି ଆସାମୀଙ୍କୁ ପ୍ରାଣଦଣ୍ଡ ଦିଆଯାଇନି ।
ଗତମାସରେ ଜେସି ହଫମ୍ୟାନ ଜୁନିୟର ରାଜ୍ୟ ସରକାରଙ୍କ ମୃତ୍ୟୁଦଣ୍ଡ ପ୍ରକ୍ରିୟାକୁ ତୀବ୍ର ବିରୋଧ କରି ଏକ ପିଟିସନ୍ ଜରିଆରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ଦର୍ଶାଇଥିଲେ, ନାଇଟ୍ରୋଜେନ୍ ଭଳି ବିଷାକ୍ତ ଗ୍ୟାସ୍ ବଳରେ ଜଣେ ଆସାମୀଙ୍କୁ ଶ୍ୱାସରୁଦ୍ଧ କରି ମାରିଦେବା ଅତ୍ୟନ୍ତ ନିଷ୍ଠୁର ଓ ବର୍ବରୋଚିତ କାର୍ଯ୍ୟ । ଗୋଟିଏ ସଭ୍ୟ ଦେଶ ଓ ତା’ର ସରକାର ସେଭଳି ଅମାନବିକ ଦଣ୍ଡାଦେଶକୁ ସବୁଦିନ ପାଇଁ ବନ୍ଦ କରିବା ଯୁକ୍ତିସଂଗତ । ଜଣେ ବ୍ୟକ୍ତି ଯୋଗାଭ୍ୟାସ ଅବସରରେ ତାଙ୍କ ଶ୍ୱାସକ୍ରିୟାକୁ କିଛି ସମୟ ପାଇଁ ବନ୍ଦ କରିବା ନିଷ୍ଠୁର କାମ ନୁହେଁ । କିନ୍ତୁ ଜଣକୁ ରୁଦ୍ଧ କୋଠରୀରେ ପୁରାଇ ବିଷାକ୍ତ ଗ୍ୟାସ୍ ପ୍ରୟୋଗ କରି ତାକୁ ମୃତ୍ୟୁମୁଖରେ ପକାଇବା ସମୀଚୀନ ନୁହେଁ ।