ୱାଶିଂଟନ: ଗୁଜରାଟର ଅହମଦାବାଦ ବିମାନ ଘାଟି ନିକଟରେ ଦୁର୍ଘଟଣାର ଶିକାର ହୋଇ ୨୪୦ରୁ ଅଧିକ ଯାତ୍ରୀଙ୍କ ଜୀବନ ନେଇଥିବା ଡ୍ରିମଲାଇନର ଜୁଲାଇ ୨୫ ତାରିଖ ଦିନ ଆଉ ଏକ ଦୁର୍ଘଟଣା ଘଟାଇବାକୁ ଯାଉଥିଲା । ମାତ୍ର ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଡ୍ରିମ୍ ଲାଇନରଟି ଦୁର୍ଘଟଣାରୁ ଉଧୁରି ଯାଇଥିଲା ।
ୱାଶିଂଟନରୁ ମୁନିକ୍ ଅଭିମୁଖେ ଯାଉଥିବା ଡ୍ରିମ୍ ଲାଇନର୍ ଉଡ଼ାଣ ଆରମ୍ଭ କରିବାର କିଛି ସେକେଣ୍ଡ ଭିତରେ ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇ ୱାଶିଂଟନ ଡଲେସ ବିମାନଘାଟିରେ ଅବତରଣ କରିଥିଲା ।
ୟୁନାଇଟେଡ୍ ଏୟାର ଲାଇନ୍ସର ଫ୍ଲାଇଟ୍ ନମ୍ବର ୧୦୮ ପାଇଲଟ ଜଣକ କ୍ଷଣିକ ପାଇଁ ମେ’ ଡେ’ ଚିତ୍କାର କରିଥିଲେ । ମାତ୍ର ପରକ୍ଷଣରେ ଚତୁରତାର ସହିତ ବିମାନକୁ ନିୟନ୍ତ୍ରଣ କରି ସତର୍କତାର ସହିତ ଅବତରଣ କରାଇ ପାରିଥିଲେ ।
ବିମାନଟି ଭୂପୃଷ୍ଠରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ଉଡୁଥିଲା । ଦୁର୍ଘଟଣାର ସୁରାକ ପାଇବା ମାତ୍ରେ ପାଇଲଟ ଏୟାର ଟ୍ରାଫିକ୍ କଂଟ୍ରୋଲରଙ୍କ ସହିତ ସଂପର୍କ ସ୍ଥାପନ କରି ତୁରନ୍ତ ଅବତରଣ ପାଇଁ ଅନୁମତି ଲୋଡ଼ିଥିଲେ ।