ମଦ ପିଉଛନ୍ତି! ପକେଟରେ ରଖନ୍ତୁ ଡିଭାଇସ୍‌

ଆପଣ ନିଜେ ଉକ୍ତ ଡିଭାଇସ୍‌ ଭିତରକୁ ପାଟିରୁ ପବନ ଛାଡ଼ି ଆଲକୋହଲ ପରିମାଣ ଜାଣିପାରିବେ…..

ନୂଆଦିଲ୍ଲୀ: ଏମିତି କିଛି ମଦୁଆ ଅଛନ୍ତି ଯୋଉମାନେ ମାପିଚୁପି ମଦ ପିଅନ୍ତି ଯାହାର ସୁରାକ ପରିବାର ଲୋକ ଜାଣିପାରନ୍ତି ନାହିଁ । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ପାରିବେ କି ନା’, ପୁଲିସ ଆଖିରେ ଧୂଳି ଦେଇ ଖସିପାରିବେ କି ନା’, ଏହିଭଳି କିଛି ପ୍ରଶ୍ନର ଜବାବ ଦେବ ଆପଣଙ୍କ ପକେଟରେ ଥିବା ଶକ୍ତିଶାଳୀ ଡିଭାଇସ୍‌ । ମଦୁଆଙ୍କୁ ଧରିବାର ଡିଭାଇସ୍‌ ଏବେ ଆଉ ପୁଲିସର ଏକଚାଟିଆ ହୋଇ ରହିନାହିଁ । ସାଧାରଣ ଲୋକମାନେ ମଧ୍ୟ ଛୋଟ ଡିଭାଇସ୍‌ ପାଖରେ ରଖି ପୁଲିସ ଦୃଷ୍ଟିରୁ ରକ୍ଷା ପାଇପାରିବେ ।

ପୁଲିସ ବ୍ୟବହାର କରୁଥିବା ଡିଭାଇସ୍‌ ନାମ ‘ବ୍ରେଥ୍‌ ଆନାଲାଇଜର’ । ନିଶାସକ୍ତ ଲୋକଙ୍କର ଶ୍ୱାସକ୍ରିୟାରୁ ଆଲ୍‌କୋହଲ ପରିମାଣ ଜଣାଇଦିଏ ‘ବ୍ରେଥ୍‌ ଆନାଲାଇଜର’ । ସାଧାରଣ ଲୋକଙ୍କ ପାଇଁ ତିଆରି କରାଯାଇଥିବା ଡିଭାଇସ୍‌ରେ ଆଲାର୍ମ ନଚେତ୍‌ ଆଲୋକ ଜଳିବାର ବ୍ୟବସ୍ଥା ଅଛି । ଆପଣ କେତେ ପରିମାଣର ମଦ ପିଇ ଆରାମରେ ଗାଡ଼ି ଚଲାଇ ପୁଲିସ ନଜରରୁ ଖସି ଯାଇପାରିବେ, ଆପଣଙ୍କ ପକେଟରେ ଥିବା ଡିଭାଇସ୍‌ ଜଣାଇଦେବ ।

ଉକ୍ତ ଡିଭାଇସ୍‌ଟିକୁ ଆପଣ ଅନ୍‌ ଲାଇନ୍‌ ଜରିଆରେ କିଣିପାରିବେ । ଡିଭାଇସ୍‌ଟିର ଦାମ ୧୦୦୦ ଟଙ୍କାରୁ ୫ ହଜାର ଟଙ୍କା ଭିତରେ ରଖାଯାଇଛି । ପୁଲିସ ବ୍ୟବହାର କରୁଥିବା ବ୍ରେଥ୍‌ ଆନାଲାଇଜର ତୁଳନାରେ ବଜାରରେ ମିଳୁଥିବା ଡିଭାଇସ୍‌ ଅତି ଛୋଟିଆ । ଆପଣ ନିଜେ ଉକ୍ତ ଡିଭାଇସ୍‌ ଭିତରକୁ ପାଟିରୁ ପବନ ଛାଡ଼ି ଆଲକୋହଲ ପରିମାଣ ଜାଣିପାରିବେ । ଅଧିକାଂଶ ଘରେ ପିଲାମାନେ କମ୍‌ ପରିମାଣର ମଦ ପିଇ ଘରକୁ ଆସନ୍ତି । ମା’ବାପା ଜାଣିପାରନ୍ତି ନାହିଁ । ଉକ୍ତ ଡିଭାଇସଟି ଆପଣଙ୍କ ପାଖରେ ଥିଲେ, ପୁଅଝିଅ ଆପଣଙ୍କ ଆଖିରେ ଧୂଳି ଦେଇ ଖସିପାରିବେନି ।