‘ସିଗ୍ନାଲ ତ୍ରୁଟି’ ରେଳ କର୍ମଚାରୀଙ୍କ ଅବହେଳାରୁ ଘଟିଛି ଦୁର୍ଘଟଣା; ଦାୟୀ ୭ କର୍ମଚାରୀ ନିଲମ୍ବିତ
ଡି ଆଣ୍ଡ ଏଆର ପ୍ରୋସିଡିଂ ଆରମ୍ଭ
ନୂଆଦିଲ୍ଲୀ : ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ)ଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ବାହାନଗା ରେଳଷ୍ଟେସନ ଉତ୍ତର ସିଗନାଲ ଗୁମୁଟିରେ ସିଗନାଲିଂ-ସର୍କିଟ-ଅଲଟରେସନ ସମୟରେ ତ୍ରୁଟି ଯୋଗୁଁ ରେଳ ଦୁର୍ଘଟଣା ଘଟିଥିଲା। ବାହାନଗା ରେଳଷ୍ଟେସନ ନିକଟସ୍ଥ ଗେଟ ସଂଖ୍ୟା ୯୪ରେ ଇଲେକ୍ଟ୍ରିକ ଲିଫ୍ଟିଂ ବ୍ୟାରିଅର ବଦଳ ସମୟରେ ସିଗନାଲିଂ କାର୍ଯ୍ୟରେ ମଧ୍ୟ ତ୍ରୁଟି ଘଟିଥିଲା। ଏସମସ୍ତ ତ୍ରୁଟି ଯୋଗୁଁ ଅପ ଲାଇନରେ ଆସୁଥିବା ଟ୍ରେନ ସଂଖ୍ୟା ୧୨୮୪୧କୁ ଭୂଲ ସଂକେତ ମିଳିଥିଲା। ଅପ ମେନ ଲାଇନରେ ସିଗନାଲ ସବୁଜ ଥିବା ବେଳେ ରେଲ ଲାଇନର ସଂଯୋଗ ଲୁପ ଲାଇନରେ ହିଁ ରହିଥିଲା। ଫଳରେ ଲୁପ ଲାଇନରେ ଛିଡ଼ା ହୋଇରହିଥିବା ମାଲଗାଡ଼ିକୁ ଟ୍ରେନ ସଂଖ୍ୟା ୧୨୮୪୧ ପଛରୁ ଧକ୍କା ଦେଇଥିଲା।
ରେଳ ସୁରକ୍ଷା ଆୟୁକ୍ତଙ୍କ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାଟି ଦାୟିତ୍ୱରେ ଥିବା ରେଳ କର୍ମଚାରୀଙ୍କ ଅବହେଳାରୁ ଘଟିଛି। ଏଥିଯୋଗୁଁ ଦୁର୍ଘଟଣାରେ ଦାୟୀ ୭ଜଣ ରେଳ କର୍ମଚାରୀଙ୍କୁ ନିଳମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ଡି ଆଣ୍ଡ ଏଆର ପ୍ରୋସିଡିଂ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ, ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୧ ଜଣ ଯାତ୍ରୀଙ୍କ ଶବ ଚିହ୍ନଟ ହୋଇପାରିନାହିଁ। ପରିଚୟ ମିଳିପାରିନଥିବା ଯାତ୍ରୀଙ୍କ ଶବକୁ ଭୁବନେଶ୍ୱରସ୍ଥିତ ଏମ୍ସରେ ସଂରକ୍ଷିତ ରଖାଯାଇଛି।
ସେହିପରି, ମୃତକଙ୍କ ଅନ୍ତିମସଂସ୍କାର ପ୍ରସଙ୍ଗରେ ମନ୍ତ୍ରୀ ବୈଷ୍ଣବ ଜଣାଇଛନ୍ତି ଯେ ଆଇନ ଅନୁଯାୟୀ ଡାକ୍ତରୀ ଦଳ, ସରକାରୀ ରେଳ ପୁଲିସ ଏବଂ ସିବିଆଇ ପରାମର୍ଶ କ୍ରମେ ଶବସତ୍କାର କରାଯିବ। ଜୁନ ୨ ରେଳ ଦୁର୍ଘଟଣାରେ ସମୁଦାୟ ୨୯୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିସହ ୧୭୬ ଜଣ ଯାତ୍ରୀ ଗୁରୁତର ଭାବେ ଆହତ, ୪୫୧ ଜଣ ସାମାନ୍ୟ ଭାବେ ଆହତ ଏବଂ ୧୮୦ ଜଣଙ୍କୁୂ ଫାଷ୍ଟଏଡ ଚିକିତ୍ସା ମିଳିଥିଲା। ମୃତକଙ୍କ ମଧ୍ୟରୁ ୨୫୪ ଜଣଙ୍କ ଶବ ଚିହ୍ନଟ ସରିଛି ଏବଂ ମରଶରୀର ଅନ୍ତିମସଂସ୍କାର ପାଇଁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନା ଥାଉକି, ଦୁର୍ଘଟଣା କ୍ଷତିପୂରଣ ବାବଦରେ ଜୁଲାଇ ୧୬ ସୁଦ୍ଧା ରେଳ ମନ୍ତ୍ରାଳୟ ଦ୍ୱାରା ସମୁଦାୟ ୨୯ କୋଟି ୪୯ ଲକ୍ଷ ରାଶି ବଣ୍ଟନ ସରିଛି। ଏଥିରେ ମୃତକଙ୍କ ଆତ୍ମୀୟସ୍ୱଜନଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ରହିଛି। ରେଲୱେ କ୍ଲେମ ଟ୍ରାଇବୁନାଲଙ୍କ ଆଦେଶକ୍ରମେ କ୍ଷତିପୂରଣ ରାଶି ରେଳ ମନ୍ତ୍ରାଳୟ ପ୍ରଦାନ କରୁଛି।