ବିଦ୍ୟୁତ ଚାଳିତ ବସ ସେବା ଦିଲ୍ଲୀରେ ଆରମ୍ଭ ହେଲା

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପକ୍ଷରୁ ଦିଲ୍ଲୀରେ ଆରମ୍ଭ ହୋଇଛି ବିଦ୍ୟୁତ ଚାଳିତ ବସ ସେବା । ଡିଏମଆରସି ମୋଟ ୧୫୦ ବିଦ୍ୟୁତ ଚାଳିତ ବସ ଆଣିଥିବାବେଳେ ଗୁରୁବାର ୨୫ଟି ଇ-ବସ୍‍ ଦୁଇଟି ପଥରେ ଚଳାଚଳ ଆରମ୍ଭ କରିଛି । ଏହି ବସଗୁଡିକ କେବଳ ମେଟ୍ରୋ ରେଳଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ଏବଂ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ନିକଟରୁ ନଗଦ ଅର୍ଥ ନିଆଯିବ ନାହିଁ। ମେଟ୍ରୋ ସ୍ମାର୍ଟ କାର୍ଡ ଜରିଆରେ ଏଥିରେ ଯାତ୍ରା କରିହେବ । ବସରେ ଯାତ୍ରା ପାଇଁ ୪ କିଲୋମିଟର ପର୍ଯ୍ୟନ୍ତ ୧୦ ଟଙ୍କା, ୪ରୁ ୮ କିଲୋମିଟର ପର୍ଯ୍ୟନ୍ତ ୧୫ ଟଙ୍କା, ୮ରୁ ୧୨ କିଲୋମିଟର ୨୦ ଟଙ୍କା ଏବଂ ତାହାଠାରୁ ଅଧିକ ଦୂରତା ପାଇଁ ୨୫ ଟଙ୍କା ଭଡା ଧାର୍ଯ୍ୟ କରାଯାଇଛି । ଭିନ୍ନକ୍ଷମଙ୍କ ପାଇଁ ହ୍ୱିଲଚେୟାର ସହିତ ବସକୁ ପ୍ରବେଶ କରିବାକୁ ଆଙ୍କରେଜ ବ୍ୟବସ୍ଥା ରହିଛି । ପ୍ରତ୍ୟେକ ବସରେ ୨୪ ଜଣ ଯାତ୍ରୀ ବସିବା ବ୍ୟବସ୍ଥା ରହିଛି । ବସଗୁଡିକରେ କୌଣସି କଣ୍ଡକ୍ଟର ମଧ୍ୟ ରହିବେ ନାହିଁ । ତାହାଛଡା ଧାର୍ଯ୍ୟ ରହଣି ସ୍ଥଳ ବ୍ୟତୀତ ଏହା ଅନ୍ୟ କେଉଁଠାରେ ରହଣି କରିବନାହିଁ । ଯାତ୍ରୀମାନେ ବସ ରହଣି ସ୍ଥଳରୁ ଯାତ୍ରା ଆରମ୍ଭ କରିବାପରେ ସେମାନେ କେବଳ ମେଟ୍ରୋ ଷ୍ଟେସନଗୁଡିକରେ ଓହ୍ଲାଇ ପାରିବେ । ଏଥିରେ ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା ସହିତ ସିସିଟିଭି ଏବଂ ଜିପିଏସ ଖଞ୍ଜାଯାଇଛି ।