ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ

ଦ୍ବୀପପୁଞ୍ଜ ଅଞ୍ଚଳରେ ୫.୦ ତୀବ୍ରତାସମ୍ପନ୍ନ …

ନୂଆଦିଲ୍ଲୀ: ଆଜି ସକାଳେ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରେ ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଛି। ଭୋର୍‌ ପ୍ରାୟ ୫.୭ରେ ସଂଘଠିତ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ମିଳିନାହିଁ। ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିବା ଅନୁସାରେ, ନିକୋବର ଦ୍ବୀପପୁଞ୍ଜକୁ ଦୋହଲାଇ ଦେଇଥିବା ଭୂମିକମ୍ପଟି ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଜାନୁଆରି ମାସରେ ମଧ୍ୟ ଆଣ୍ଡାମାନ୍‌ ସାଗର ନିକଟରେ ୪.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା। ‘ଏନ୍‌ସିଏସ୍‌’ କହିବା ଅନୁସାରେ ଭୂଗର୍ଭର ୭୭ କିଲୋମିଟର୍‌ ଅଭ୍ୟନ୍ତରରେ ଥିଲା ଏହାର ଉତ୍ପତ୍ତିସ୍ଥଳ। ଏହି ଦ୍ବୀପପୁଞ୍ଜରେ ଗତବର୍ଷ ୨୪ ଘଣ୍ଟା ମଧ୍ୟରେ ଏହି ଦ୍ବୀପପୁଞ୍ଜରେ ସମୁଦାୟ ୨୨ ଥର ଭୂକମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର୍‌ସ୍କେଲ୍‌ରେ ଏହି ଭୂକମ୍ପନଗୁଡ଼ିକର ତୀବ୍ରତା ୩.୮ରୁ ୫.୦ ମଧ୍ୟରେ ଥିଲା।