ନେପାଳରେ ଭୂକମ୍ପ ଝଟକା

ଏହାର ପ୍ରଭାବରେ ଭାରତର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ବି ଥରି ଉଠିଛି….

ନୂଆଦିଲ୍ଲୀ: ବୁଧବାର ଭୋରରେ ନେପାଳରେ ବଡ ଧରଣର ଭୂ-କମ୍ପ ଅନୁଭୂତ ହୋଇଛି। ଉକ୍ତ ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ପଶ୍ଚିମ ନେପାଳର ଦୋତି ଜିଲ୍ଲାର ବୋଲି ମୁଖ୍ୟ ଜିଲ୍ଲା ଅଧିକାରୀ କଳ୍ପନା ଶ୍ରେଷ୍ଠ ପ୍ରକାଶ କରିଛନ୍ତି। ଏହି ଘଟଣାରେ ୫ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉକ୍ତ ଘଟଣାରେ ବିଭିନ୍ନ ସ୍ଥାନରେ ପ୍ରାୟ ୧୨ ଘର ଭୁଶୁଡ଼ି ପଡ଼ିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ନେପାଳ ସେନା ଉକ୍ତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗତ ୨୪ ଘଣ୍ଟା ଭିତରେ ନେପାଳର ଦୋତି ଜିଲ୍ଲାରେ ୨ ଥର ଭୂ-କମ୍ପ ଅନୁଭୂତ ହୋଇଥିବା ସେଠାକାର ଅଧିକାରୀମାନେ କହିଛନ୍ତି। ଏହାର ପ୍ରଭାବରେ ଭାରତର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ବି ଥରି ଉଠିଛି। ରିକଟର ସ୍କେଲରେ ଭୂ-କମ୍ପର ମାତ୍ରା ଥିଲା ୬.୩। ପ୍ରାୟ ରାତି ୧.୫୭ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା।