ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅବସାନ ଘଟାଇ ବାଂଲାଦେଶରେ ତ୍ରୟୋଦଶ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ। ୧୨ ଫେବୃଆରୀ ୨୦୨୬ରେ ମତଦାନ ଗ୍ରହଣ କରାଯିବ। ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମ୍ଏମ୍ ନାସିରୁଦ୍ଦିନ ଗୁରୁବାର ସନ୍ଧ୍ୟାରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ୧୨ ଫେବୃଆରୀ ସକାଳ ସାଢେ଼ ୭ଟାରୁ ଅପରାହ୍ନ ସାଢେ଼ ଚାରିଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏଥର ଭୋଟ ଗ୍ରହଣ ସମୟକୁ ଗୋଟିଏ ଘଂଟା ବୃଦ୍ଧି କରାଯାଇଛି କାରଣ ସେହିଦିନ ଏକ ଜନମତ ସଂଗ୍ରହ କରାଯିବ।
୧୨ ଫେବୃଆରୀରେ ଜୁଲାଇ ଚାର୍ଟର କାର୍ଯ୍ୟକାରୀ କରିବା ପାଇଁ ଏକ ଜନମତ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ଅନୁଯାୟୀ, ଏହି ଜନମତ ଜାତୀୟ ସମ୍ବିଧାନର କାର୍ଯ୍ୟାନ୍ୱୟନ ଉପରେ ହେବ।
ଶେଖ ହାସିନାଙ୍କ ‘ଆୱାମୀ ଲିଗ୍’ ଉକ୍ତ ନିର୍ବାଚନରେ ଅଂଶଗ୍ରହଣ କରିପାରିବ ନାହିଁ କାରଣ ଦଳ ଉପରେ କଟକଣା ଜାରି କରାଯାଇଛି। ନିର୍ବାଚନ କମିଶନଙ୍କ ସୂଚନାନୁସାରେ ନୂତନ ସରକାରକୁ ନିର୍ବାଚିତ କରିବା ପାଇଁ ମୋଟ ୧୨.୮ ଲକ୍ଷ ଭୋଟର ମତଦାନ କରିବେ।
ଆହୁରି ପଢ଼ନ୍ତୁ...
ଏଥିରେ ୬.୪୨ ଲକ୍ଷ ପୁରୁଷ ଏବଂ ୬.୨୮ ଲକ୍ଷ ମହିଳା ଭୋଟର ଅଛନ୍ତି। ନିର୍ବାଚନ ଆଚାର ସଂହିତାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଦୁଇଜଣ ଡେପୁଟି କମିଶନର (ଡିସି) ନିଯୁକ୍ତ କରାଯିବ।
ପ୍ରାୟ ୩୦,୦୦୦ ଏନ୍ଆର୍ବି (ବିଦେଶରେ ରହୁଥିବା ବାଂଲାଦେଶୀ ନାଗରିକ) ମଧ୍ୟ ଏହି ନିର୍ବାଚନରେ ମତଦାନ କରିପାରିବେ। ସଂସଦୀୟ ନିର୍ବାଚନ ପାଇଁ ମତପତ୍ର ଧଳା ରଙ୍ଗର ହେବ। ସେଭଳି ଜନମତ ସଂଗ୍ରହ ପାଇଁ ମତପତ୍ର ଗୋଲାପୀ ରଙ୍ଗର ହେବ। ନିର୍ବାଚନ କମିଶନଙ୍କ ଅନୁଯାୟୀ ଏଥର ୫୬ଟି ଦଳ ନିର୍ବାଚନରେ ଲଢ଼ିବାକୁ ଯାଉଛନ୍ତି। ମୁଖ୍ୟ ଲଢେ଼ଇ ବାଂଲାଦେଶ ନ୍ୟାସ୍ନାଲିଷ୍ଟ ପାର୍ଟି, ଜମାତ୍-ଏ-ଇସ୍ଲାମି ଏବଂ ନବଗଠିତ ନ୍ୟାସ୍ନାଲ୍ ସିଟିଜେନ୍ସ ପାର୍ଟି ମଧ୍ୟରେ ହେବ।
ବାଂଲାଦେଶ ଏବେ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି। ଦେଶରେ ହାଣକାଟ, ରକ୍ତପାତ ଥମିବାର ନାମ ଧରୁନି।
ଆନ୍ଦୋଳନ ସମ୍ଭାଳି ନପାରି ଶେଖ ହସିନା ୫ ଅଗଷ୍ଟ ୨୦୨୪ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।
ହସିନାଙ୍କ ପରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଅଛି।