ପାକିସ୍ତାନ ସେନାବାହିନୀ ନିକଟରୁ ତାଲିମ ପାଇଥିବା ଆତଙ୍କୀ ସଂଗଠନ ତେହରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ଏବେ ପାକ୍ ସେନା ପାଇଁ ଘାତକ ପାଲଟି ଯାଇଛି । ଦକ୍ଷିଣ ୱଜିରିସ୍ତାନରେ ଟିଟିପି ସହିତ ଗରିଲା ଯୁଦ୍ଧ କରୁଥିବା ସମୟରେ ପ୍ରାଣ ହରାଇଛନ୍ତି ମେଜର ମୋଇଜ୍ ଆବ୍ବାସ୍ ଶାହ । ଜାଣନ୍ତି? ୟେ ସେହି ମେଜର ଯିଏ ଆମ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ କାବୁ କରି ନେଇଥିଲେ ।
୨୦୧୯ ମସିହାର ବାଲାକୋଟ୍ ଆତଙ୍କୀ ଶିବିର ଉପରେ ଆମ ଶକ୍ତିଶାଳୀ ବାୟୁସେନାର ରାତି ଅଧିଆ ହମ୍ଲା କଥା ମନେପକାନ୍ତୁ । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଘଟଣାଚକ୍ରରେ ପାକିସ୍ତାନ ମାଟିକୁ ଖସି ପଡ଼ିଥିଲେ । ତାଙ୍କୁ ଦୁର୍ଘଟଣାଗ୍ରସ୍ତ ବିମାନ ଭିତରୁ ଅଭିନନ୍ଦନ ବାହାରି ଆସୁଥିବା ସମୟରେ ମେଜର ମୋଇଜ ଆବ୍ବାସ୍ ଶାହଙ୍କ ଦୃଷ୍ଟିରେ ଧରା ପଡ଼ିଯାଇଥିଲେ ।
ପାକ୍ ସେନାବାହିନୀର ଆତଙ୍କୀ ବିରୋଧୀ ଅଭିଯାନକୁ ଫଳବତୀ କରିବା ପାଇଁ ୩୭ ବର୍ଷୀୟ ମେଜର ଶାହ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଟିଟିପି ହାତରେ ମେଜରଙ୍କ ଜୀବନ ଚାଲି ଯାଇଥିଲା ବେଳେ ଗୁରୁତର ଆହତ ହୋଇଛନ୍ତି ଲାନ୍ସ ନାଏକ ଜିବ୍ରନୁଲାହ । ଟିଟିପି ଏବେ ପାକ୍ ସେନାବାହିନୀ ପାଇଁ ମହାକାଳ ପାଲଟି ଯାଇଛି । ପାକିସ୍ତାନ ପାଣି ପବନରେ ବଢ଼ି ଆସିଥିବା ଟିଟିପି ଏବେ ଉଭୟ ସାଧାରଣ ଜନତା ଓ ସେନାବାହିନୀକୁ ଟାର୍ଗେଟ୍ କରିଛି ।
୨୦୦୭ ମସିହାରେ ଜୈସ କମାଣ୍ଡର କ୍ୱାରୀ ହୁସେନ୍ ମେହସୁଦଙ୍କ ହାତଗଢ଼ା ଆତଙ୍କୀ ସଂଗଠନ ପାକ୍ ସରକାରଙ୍କ ମାପକାଠିରେ ସଂଖ୍ୟାଲଘୁ ମାନ୍ୟତା ପାଇଥିବା ସିଆ ସମୁଦାୟକୁ ଟାର୍ଗେଟ୍ କରୁଛି ।
ପାକ୍ ସରକାରଙ୍କ ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ପ୍ରାୟ ୧୧୬ ପାକ୍ ସେନାଧିକାରୀ ଟିଟିପି ହାତରେ ଜୀବନ ଦେଇସାରିଛନ୍ତି । ୨୦୨୪ରୁ ଆଜିସୁଦ୍ଧା ଟିଟିପି ହାତରେ ପ୍ରାୟ ୧୨୦୦ ପୁଲିସ ଓ ସେନା ପଦାଧିକାରୀ ପ୍ରାଣ ହରାଇଛନ୍ତି ।