ପ୍ରତି ପରିବାରକୁ ୫-୬ ସନ୍ତାନ ଜରୁରୀ

ଆମକୁ ସନାତନ ବୋର୍ଡଟିଏ ଗଠନ କରିବାକୁ ପଡ଼ିବ…

ନାଗପୁର: ସନାତନ ଧର୍ମରକ୍ଷା ପାଇଁ ସନ୍ତାନ ଜରୁରୀ । ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଆଇନ ପ୍ରଣୟନ ହେବା ପର୍ଯ୍ୟନ୍ତ ପ୍ରତି ବାପା-ମା ଅନ୍ୟୁନ ୫-୬ଟି ସନ୍ତାନ ଜନ୍ମ କରିବା ଉଚିତ ବୋଲି ଭାଗବତ ପ୍ରବଚକ ଦେବକୀ ନନ୍ଦନ ଠାକୁର ମହାରାଜ ପରାମର୍ଶ ଦେଇଛନ୍ତି । ମହାରାଜଙ୍କ ମତରେ ଚାରିଟି ପତ୍ନୀ ଓ ୪୦ଟି ସନ୍ତାନ ପ୍ରତି କେହି ପାଟି ଫିଟାଉ ନାହାନ୍ତି । ସମସ୍ତେ ସନାତନ ଧର୍ମ ପଛରେ ପଡ଼ିଛନ୍ତି । ସନାତନ ଧର୍ମକୁ ନଷ୍ଟ କରିଦେବାର ଚକ୍ରାନ୍ତ ଚାଲିଛି । ଆମକୁ ସନାତନ ବୋର୍ଡଟିଏ ଗଠନ କରିବାକୁ ପଡ଼ିବ । ଦେଶ ସ୍ୱାଧୀନତା ହାସଲ କରିବା ପରଠାରୁ ସନାତନ ଧର୍ମକୁ ଚରମ ଅବହେଳା କରାଯାଇଛି ।

ମୁସଲିମଙ୍କ ବିରୋଧରେ ନାନା ମତ ପ୍ରକାଶ କରୁଥିବାରୁ ଦେବକୀ ନନ୍ଦନଙ୍କୁ ବହୁ ଧମକ ମିଳୁଛି । ଗତ ଡିସେମ୍ବର ମାସରେ ସାଉଦି ଆରବରୁ କେହି ଜଣେ ଫୋନ୍‌ କରି ଦେବକୀ ନନ୍ଦକକୁ ଜିଅନ୍ତା ଜାଳିଦେବାକୁ ଧମକ ଦେଇଥିଲା । ଅଭିଯୋଗ ପାଇ ମହାରାଷ୍ଟ୍ର ପୁଲିସ ଛାନଭିନ୍‌ କରିଥିଲା । କେହିକେହି ତାଙ୍କୁ ମାରି ଖଣ୍ଡଖଣ୍ଡ କରିଦେବାକୁ ଧମକ ଦେଇଛନ୍ତି । ମାତ୍ର ସବୁଶୁଣି ନିର୍ବିକାର ଭାବେ ଅଟଳ ଅଛନ୍ତି ମହାରାଜ ।