ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦଙ୍କ ପରଲୋକ

ନୂଆଦିଲ୍ଲୀ: ନିକଟରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ରୁ ଇସ୍ତଫା ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କ ପରଲୋକ ହୋଇଯାଇଛି। ୭୪ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟରରେ ଲେଖିଛନ୍ତି ଯେ, ରଘୁବଂଶ ପ୍ରସାଦ ସିଂଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ତୃଣମୂଳ ସ୍ତରରୁ ଆସିଥିବା ସେ ଜଣେ ପ୍ରତିଷ୍ଠିତ ନେତା ଥିଲେ। ଗ୍ରାମୀଣ ଭାରତ ସମ୍ପର୍କରେ ଅଦ୍ଭୁତପୂର୍ବ ବୁଝାମଣା ଥିବା ଜଣେ ସଚ୍ଚା ନେତା ଥିଲେ ରଘୁବଂଶ ବାବୁ। ତାଙ୍କର ସାମାନ୍ୟ ଏବଂ ନିରାଡମ୍ବର ଜୀବନଶୈଳୀ ଦ୍ୱାରା ସେ ସାଧାରଣ ଜୀବନକୁ ସମୃଦ୍ଧ କରିଥିଲେ । ତାଙ୍କ ପରିବାର ଏବଂ ଅନୁଗାମୀମାନଙ୍କୁ ସମବେଦନା ।

ସେହିଭଳି ରଘୁବଂଶଙ୍କ ଅବର୍ତ୍ତମାନରେ ବିହାର ଏବଂ ଭାରତୀୟ ରାଜନୀତିରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବିପେଜି, କଂଗ୍ରେସ ଏବଂ ଆରଜେଡି ନେତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିଲେ ରଘୁବଂଶ। ନିକଟରେ ସେ ଜେଲ୍ ଦଣ୍ଡ ଭୋଗୁଥିବା ଲାଲୁ ଯାଦବଙ୍କୁ ନିକଟକୁ ଚିଠି ଲେଖି ଆରଜେଡିରୁ ନିଜର ଇସ୍ତଫା ସମ୍ପର୍କରେ ଜଣାଇଥିଲେ। ତେବେ ଲାଲୁ ତାଙ୍କ ସୁସ୍ଥତା କାମନା କରିବା ସହ ଭଲ ହୋଇ ଫେରିଲେ ସବୁର ସମାଧାନ କରିବାକୁ କହିଥିଲେ।