ଦରଦାମ ସ୍ଥିତିର ମୁକାବିଲା ଲାଗି ମଇଦା-ସୁଜି ରପ୍ତାନି ନିଷିଦ୍ଧ

ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି….

ନୂଆଦିଲ୍ଲୀ : ଦରଦାମ ସ୍ଥିତିର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ଗହମରୁ ପ୍ରସ୍ତୁତ ଅଟା, ସୁଜି ଓ ମଇଦା ରପ୍ତାନିକୁ ନିଷିଦ୍ଧ କରାଯାଇଛି । କିଛି ଦିନ ପୂର୍ବେ ଗହମ ରପ୍ତାନି ଉପରେ କଟକଣା ଲଗାଯାଇଥିଲା । ଅଟା, ସୁଜୁକି ଓ ମଇଦା ରପ୍ତାନିକୁ ନିଷିଦ୍ଧ କରିବା ସମ୍ପର୍କିତ ବିଜ୍ଞପ୍ତିକୁ ଡିଜିଏଫଟି ପକ୍ଷରୁ ଜାରି କରାଯାଇଛି । କିନ୍ତୁ କେତେକ ମାମଲରେ ଏହି ସାମଗ୍ରୀଗୁଡ଼ିକର ରପ୍ତାନି ଲାଗି ଅନୁମତି ଦେବାର କ୍ଷମତା ସରକାରଙ୍କ ପାଖରେ ରହିଛି ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବିଶ୍ୱର ଦୁଇ ପ୍ରମୁଖ ଗହମ ଉତ୍ପାଦନକାରୀ ରାଷ୍ଟ୍ର ରୁଷ-ୟୁକ୍ରେନ ଯୁଦ୍ଧ କରୁଥିବାରୁ ସେଠାରୁ ଖାଦ୍ୟଶସ୍ୟ ବାହାରକୁ ଆସିପାରୁନାହିଁ । ଯେଉଁ ଦେଶଗୁଡ଼ିକ ସେମାନଙ୍କ ଉପରେ ନିର୍ଭରଶୀଳ ଥିଲେ ସେଠାରେ ଏବେ ଖାଦ୍ୟ ସଙ୍କଟ ଦେଖାଦେଇଛି । ଯେହେତୁ ଭାରତରେ ବିଶ୍ୱର ସର୍ବାଧିକ ଗହମ ଉତ୍ପାଦନ ହେଉଛି ତେଣୁ ସେହି ଦେଶଗୁଡ଼ିକ ଏବେ ଭାରତୀୟ ଗହମ ଉପରେ ଆଖି ପକାଇଛନ୍ତି ।

ତାହାର ସୁଯୋଗ ନେଇ କିଛି ବ୍ୟବସାୟ ରପ୍ତାନି ଉପରେ ମନୋନିବେଶ କରିବା ପରେ ଦେଶ ଭିତରେ ଗହମ ଓ ସେଥିରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀର ଦାମ ବୃଦ୍ଧି ପାଇଛି । ସେହି ଦରବୃଦ୍ଧି ଉପରେ ରୋକ ଲଗାଇବା ଲାଗି ରପ୍ତାନି କଟକଣା ଲାଗୁ କରାଯାଇଛି । ଭବିଷ୍ୟତର ସମ୍ଭାବ୍ୟ ଅଭାବକୁ ଦୃଷ୍ଟିରେ ରଖି ଓ ଖାଦ୍ୟ ନିରାପତ୍ତାକୁ ନିଶ୍ଚିତ କରିବା ଲାଗି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।