ଗତାନୁଗତିକ ଧାରାରେ ପଡ଼ିଗଲାଣି ପରୀକ୍ଷା ବିଭ୍ରାଟ

ଗତାନୁଗତିକ ଧାରାରେ ପଡ଼ିଗଲାଣି ପରୀକ୍ଷା ବିଭ୍ରାଟ । ପରୀକ୍ଷା ବିଭ୍ରାଟ ମାନେ ପିଲାଙ୍କ ଜୀବନ ସହିତ ଖେଳିବା । ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପରୀକ୍ଷା, ଚାକିରି କରିବା ପାଇଁ ପରୀକ୍ଷା, ସରକାରୀ ଅନୁଦାନ ପାଇବା ପାଇଁ ପରୀକ୍ଷା, ସରକାରୀ ରିହାତି ପାଇବା ପାଇଁ ପରୀକ୍ଷା । ଜୀବନର ପ୍ରତିଟି ପାହାଚରେ ଏମିତି ନାନା ପରୀକ୍ଷା ଦେବା, ମଲାଇ ଖାଇବା ନଚେତ ଗରଳ ପିଇବା ଏକ ପରମ୍ପରା ।

ରାଜନୀତି ମଇଦାନରେ ଯେପରି ବିଭିନ୍ନ ରାଜନୈତିକ ଦଳକୁ ନିର୍ବାଚନ ପରୀକ୍ଷା ଦେବାକୁ ପଡୁଛି । ନିର୍ବାଚନ ପରୀକ୍ଷାରେ ଜିତିବା ପାଇଁ ଭୋଟରଙ୍କୁ ନିଶାପାଣି ପିଆଯାଏ, ମଟନ ଚିକେନ୍ ଖୁଆଯାଏ, ପକେଟରେ ୫୦୦ ନୋଟ୍ ପୁରାଇ ଦିଆଯାଏ । ଦୁର୍ନୀତିମୁକ୍ତ ସରକାର ପାଇବା ଆଶାରେ ବିଜେଡିକୁ ହଟାଇ ଦିଆଗଲା । ବିଜେପିକୁ ସରକାର ଗଠନ କରିବାର ସୁଯୋଗ ଦିଆଗଲା । ମାତ୍ର ଦେଉଳକୁ ମୁଖଶାଳା ବଳିଗଲା ।

ବିଜେପି ଅମଳର ପରୀକ୍ଷା ବିଭ୍ରାଟ ବିଜେଡି ଅମଳର ପରୀକ୍ଷା ବିଭ୍ରାଟକୁ ବଳିଯାଇଛି । ୨୦୨୫ ମସିହାର ପ୍ରଥମ ସାତମାସଟି ପରୀକ୍ଷା ବିଭ୍ରାଟ ଭିତରେ କଟିଗଲା । ପ୍ରଶ୍ନପତ୍ର ତ୍ରୁଟି, ପ୍ରଶ୍ନପତ୍ର ଲିକ ଭଳି କାରନାମାକୁ ଅଟକାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଛି ଯେତେ ଚେଷ୍ଟା କରୁଛନ୍ତି, ସବୁ ଫସର ଫାଟୁଛି ।

ଫାଟିବନି କେମିତି ? ବିଜେଡି ଅମଳରେ ଯୋଉ ଅଧିକାରୀମାନେ ଆଖିବୁଜି ଫାଇଲ ଚାଷ କରୁଥିଲେ, ଭଲ କରି ପକେଟ ଗରମ କରୁଥିଲେ । ସେହି ଅଧିକାରୀମାନେ ଏବେ ପୁରୁଣା ଅଭ୍ୟାସଟାକୁ ସହଜରେ ଛାଡ଼ି ପାରିବେ ? ପରୀକ୍ଷା ବାତିଲ, ପରୀକ୍ଷା ରଦ୍ଦ, ପରୀକ୍ଷା ଘୁଂଚାଇ ଦିଆଯିବା ଭଳି ହିନସ୍ତାର ଶିକାର ହେଉଛନ୍ତି ବିଚରା ଚାକିରି ଆଶାୟୀ, ଛାତ୍ରଛାତ୍ରୀ ।

ସରକାରୀ ତଦନ୍ତର ଗୋଟିଏ ଗତାନୁଗତିକ ଧାରା ହେଉଛି, ଉପର ଅଧିକାରୀଙ୍କୁ ଦୋଷମୁକ୍ତ କରିବାକୁ ଯାଇ ତଳିଆ ଅଧିକାରୀଙ୍କୁ ବଳି ପକାଇ ଦିଆଯିବ । ଅତଏବ ମୋହନ ସରକାର ଓ ନବୀନ ସରକାର ଭିତରେ କିଛି ବି ଫରକ ନାହିଁ । ସବୁଠାରୁ ମାରାତ୍ମକ ବିଭ୍ରାଟ ହେଉଛି ଉଚ୍ଚଶିକ୍ଷା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା । ନାମ ଲେଖାଇବା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ ଏକ ଗତାନୁଗତିକ ଧାରାରେ ପଡ଼ିଗଲାଣି ।

ପରୀକ୍ଷା ପରିଚାଳନା କରୁଥିବା ସରକାରୀ ସଂସ୍ଥା ଓ ଅର୍ଦ୍ଧସରକାରୀ ସଂସ୍ଥାରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀଙ୍କୁ ପରୀକ୍ଷା ବିଭ୍ରାଟ ପରିସରଭୁକ୍ତ କରାଯିବା ଉଚିତ । ପରୀକ୍ଷା ବିଭ୍ରାଟର ପ୍ରଧାନ କାରଣ ପ୍ରିୟାପ୍ରୀତି ତୋଷଣ ନୀତି । ଆମ ବଡ଼ବାବୁଙ୍କ ଝିଅଟି ଷ୍ଟାଫ୍ ସିଲେକ୍ସନ୍ ପରୀକ୍ଷା ଦେଉଛି, ତାକୁ ଟିକିଏ ସାହାଯ୍ୟ କରିଦେଲେ ମୋ ପୁଅଟିର ସରକାରୀ ଚାକିରି ପକ୍କା ହୋଇଯିବ । ବାସ୍‌, ବ୍ୟକ୍ତିଗତ ସ୍ୱାର୍ଥ ହିଁ ପରୀକ୍ଷା ବିଭ୍ରାଟର ମୂଳ କାରଣ ।

କୋଉ ସରକାରୀ କର୍ମଚାରୀ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପାରନ୍ତି ? କୋଉ ସରକାରୀ ଅଧିକାରୀ ବା କର୍ମଚାରୀଙ୍କର ପିଲାପିଲି ଘରଦ୍ୱାର ନଥିବ । ତା’ ମାନେ କ’ଣ ? ସରକାରୀ ଚାକିରି କେବଳ ସେଇମାନଙ୍କୁ ମିଳିବା ଦରକାର ଯୋଉମାନେ ପିଲାପିଲି କି ପତ୍ନୀ ଦରକାର କରୁ ନଥିବେ । ଏଇଟା କ’ଣ ସମ୍ଭବ ?
ପରୀକ୍ଷା ବିଭ୍ରାଟ ମାମଲାରେ ଜାମିନ ବିହୀନ ଗିରଫଦାରୀ ବ୍ୟବସ୍ଥା ରହିଛି । ଅପରାଧିଙ୍କ ପାଇଁ ସର୍ବାଧିକ ୫ ବର୍ଷ ଜେଲ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ ବିଧାନ କରାଯାଇଛି । ମାତ୍ର ଏସବୁ କଡ଼ାକଡ଼ି ଲାଗୁ କରାଯାଇଛି ?