ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ଅଜିତ ପୱାରଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦ ଘଟଣା। ଅଜିତଙ୍କ ବିୟୋଗରେ ସାରାଦେଶ ତଟସ୍ଥ। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ଗୃହମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଶୋକପ୍ରକାଶ କରିଛନ୍ତି। ଅଜିତ ପୱାର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଫେରିବା ସମୟରେ ବାରାମତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ବିମାନଟି ବାରାମତିରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ ଅଜିତ ପାୱାର ଦେହାନ୍ତ ହୋଇଛି। ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବିମାନରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିବା ଡିଜିସିଏ ସ୍ପଷ୍ଟ କରିଛି।
ଖାଲି ଅଜିତ ପୱାର ନୁହଁନ୍ତି ବରଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଏମିତି ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଜୁନ୍ ୧୨, ୨୦୨୫ରେ ତାଙ୍କ ଝିଅକୁ ଭେଟିବା ପାଇଁ ଅହମ୍ମଦାବାଦରୁ ଲଣ୍ଡନ ଯାତ୍ରା କରୁଥିବା ସମୟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।
ଏହା ଭାରତର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ଥିଲା, ବିମାନଟି ରନୱେରୁ ଅଳ୍ପ ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ କଲେଜ ହଷ୍ଟେଲରେ ଧକ୍କା ହୋଇଥିଲା, ଯେଉଁଥିରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରୁ କେବଳ ଜଣେ ବ୍ୟକ୍ତି ବଂଚି ଯାଇଥିଲେ ଜୀବନବ୍ୟାପୀ କଷ୍ଟଯନ୍ତ୍ରଣା ଭୋଗିବା ପାଇଁ। ଅତୀତରେ ବିମାନ ଦୁର୍ଘଟଣାରେ ବହୁ ରାଜନେତାଙ୍କ ବିୟୋଗ ଘଟିଛି। ସେମାନଙ୍କ ଭିତରୁ କିଛି ରାଜନେତା ରହସ୍ୟଜନକ ଭାବେ ଉଭାନ ହୋଇଯାଇଛନ୍ତି। ସେହି ତାଲିକାରେ ଆସନ୍ତି ରାଜସେଖରା ରେଡ୍ଡି। ଆନ୍ଧ୍ରପ୍ରଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ୱାଇଏସ୍ ରାଜାସେଖରା ରେଡ୍ଡୀ ହେଲିକପ୍ଟରରେ ଉଡ଼ାଣ କରୁଥିବା ବେଳେ ନଲ୍ଲାମାଲା ଜଙ୍ଗଲରେ ଦୁର୍ଘଟଣାର ଶିକାର ହୋଇଥିଲେ। ଜଙ୍ଗଲରୁ ତାଙ୍କ ହେଲିକପ୍ଟର ଅଂଶବିଶେଷ ମିଳିଥିଲା। ଏବଂ ତାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। କୁହାଯାଉଛି କି ଖରାପ ମୌସୁମୀ ପାଇଁ ଏହି ଦୁର୍ଘଟଣା ଘଟିଥିଲା।
ସେହିପରି, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଡ.ଓ. ଖଣ୍ଡୁ ୨୦୧୧ ଏପ୍ରିଲ ୩୦ରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ ହେଲିକପ୍ଟର ଯୋଗେ ଯାତ୍ରା କରୁଥିବା ସମୟରେ ସମ୍ପର୍କ ତୁଟିବା କାରଣରୁ ତାଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ତାଙ୍କର ଦେହାନ୍ତ ହୋଇଥିଲା। ଦୁର୍ଘଟଣା ଘଟିବାର ୫ ଦିନ ପରେ ତାଙ୍କ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।
ଲୋକସଭା ଅଧ୍ୟକ୍ଷ ଏବଂ ତେଲଗୁ ଦେଶମ ପାର୍ଟିର ନେତା ଜି.ଏମ୍.ସି ବାଲାଯୋଗୀ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କ ହେଲିକପ୍ଟରଟି ଗୋଟିଏ ଗଛରେ ମାଡ଼ ହୋଇ କ୍ରାସ୍ ହୋଇଯାଇଥିଲା। ହରିୟାଣାର ଶକ୍ତି ମନ୍ତ୍ରୀ ଏବଂ ଜିନ୍ଦଲ ଗ୍ରୁପ୍ ଅଧ୍ୟକ୍ଷ ଓପି ଜିନ୍ଦଲ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେନ୍ଦ୍ର ସିଂହ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ହେଲିକପ୍ଟର ଦିଲ୍ଲୀରୁ ଚଣ୍ଡିଗଡ଼ ଯାଉଥିବା ସମୟରେ ଉତର ପ୍ରଦେଶର ସହାରନପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କଂଗ୍ରେସ ନେତା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀ ମଧ୍ୟ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଏକ ଗ୍ଲାଇଡର ଉଡ଼ାଣ ସମୟରେ, ତାହା ନିୟନ୍ତ୍ରଣ ହରାଇଲା, ସଞ୍ଜୟ ଗାନ୍ଧୀଙ୍କର ମୃତ୍ୟୁ ଘଟିଲା।
ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମାଧବରାଓ ସିନ୍ଧିଆ ଏକ ଘରୋଇ ବିମାନରେ ରାଲି ପାଇଁ କାନପୁର ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାର ଶିକାର ହେଲେ।
ଦୁର୍ଘଟଣାରେ ପ୍ରାୟ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟପାଳ ଭାବରେ କାର୍ଯ୍ୟରତ ସୁରେନ୍ଦ୍ର ନାଥ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ହିମାଚଳ ପ୍ରଦେଶରେ ତାଙ୍କୁ ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସରକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।