ୱାଶିଂଟନ୍: ପେଟ୍ରୋଲ, ଡିଜେଲ, ସିଏନ୍ଜି ଓ ବିଦ୍ୟୁତ୍ ପରେ ଏବେ ବଜାରକୁ ଆସିଛି ‘ଉଡନ୍ତା କାର’ । ଏ ପର୍ଯ୍ୟନ୍ତ ଆପଣ କୌଣସି ଚଳଚ୍ଚିତ୍ର ଅବା କାର୍ଟୁନରେ ଉଡନ୍ତା କାର ଦେଖିଥିବେ । କିନ୍ତୁ ସବୁ ଆଶ୍ଚର୍ଯ୍ୟର ଅବସାନ ଘଟାଇ ବାସ୍ତବ ରୂପ ନେଇଛି ଉଡନ୍ତା କାର । ଏହି କାରକୁ ଆପଣ ରାସ୍ତାରେ ଚଳାଇପାରିବେ, ଦରକାର ପଡ଼ିଲେ ଆକାଶରେ ଉଡ଼ାଇ ବୁଲିବେ । ଆମେରିକା ବଜାରରେ ଉଡନ୍ତା କାର ନାମ ରଖାଯାଇଛି, ‘ସ୍ୱିଚ୍ବ୍ଲେଡ୍’ ଯାହାକୁ ଆପଣ କିଣିପାରିବେ । ଦୀର୍ଘ ୧୪ ବର୍ଷ ଧରି ଗବେଷଣା କରିବା ପରେ ‘ସାମ୍ସନ୍ ସ୍କାଏ’ ଉକ୍ତ କାର ନିର୍ମାଣ କରିଛି । କାରଟିର ଗତି ଘଂଟାକୁ ୮୭ ମାଇଲ୍ । ନିକଟରେ କାରଟିର ବ୍ରେକ୍ ଟେଷ୍ଟିଂ ସଫଳତାର ସହ ଶେଷ ହୋଇଛି । ଆମେରିକା ପରିବହନ ବିଭାଗ କାରଟିକୁ ତିନିଚକିଆ ବାଇକ୍ ଭାବେ ସ୍ୱୀକୃତି ଦେଇଛି । କିନ୍ତୁ ଏହି ଗାଡ଼ିରେ ଜଣେ ଚାଳକ (ପାଇଲଟ୍) ଓ ଜଣେ ଆରୋହୀ ବସିବାର ସୁବିଧା ରହିଛି ।
ସଂକ୍ଷେପରେ ଆପଣ ଉକ୍ତ ବାଇକ୍କୁ କାର କହିପାରନ୍ତି ନଚେତ୍ ବିମାନ କହିପାରନ୍ତି । କାରଟିର ମୂଲ୍ୟ ୧.୭ ଲକ୍ଷ ଡଲାର ବା ଭାରତୀୟ ମୁଦ୍ରା ଆକାରରେ ଏକ କୋଟି ୩୫ ଲକ୍ଷ ଟଙ୍କା ରଖାଯାଇଛି । ଏବେସୁଦ୍ଧା ୨ ହଜାର ଲୋକ ଏହି କାର ବୁକିଂ କରିସାରିଛନ୍ତି । ଏହି କାର କିଣିଲେ ମଧ୍ୟ ଆପଣ ମନଇଛା ଆକାଶରେ ଉଡ଼ାଇ ପାରିବେନି । ସାଧାରଣ ବିମାନ ଭଳି ଆପଣଙ୍କୁ ବିମାନ ବନ୍ଦର ପରିଚାଳକଙ୍କ ଅନୁମତି ଓ ତାଙ୍କ ଇସାରାରେ ଉଡ଼ାଇବାକୁ ହେବ । ତେଣୁ ଏହି କାର କିଣିଲେ ମଧ୍ୟ ଆପଣ ଇଛା ମୁତାବକ ରାସ୍ତା ଉପରେ ଚଲାଇ ପାରିବେ ।