ନୂଆଦିଲ୍ଲୀ: ଦିଲ୍ଲୀ ଏନ୍ସିଆରରେ ଘନ କୁହୁଡ଼ି ସାଙ୍ଗକୁ ରାସ୍ତା ଅସ୍ପଷ୍ଟ ଦିଶୁଥିଲା। ଫଳରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି। ସୋମବାର ସକାଳେ ଦିଲ୍ଲୀ ଏବଂ ତା’ର ଆଖପାଖ ଅଂଚଳଗୁଡ଼ିକରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଯାହା ଫଳରେ ଅନେକ ଅଂଚଳରେ ଦୃଶ୍ୟମାନତା ଶୂନ୍ୟ ପାଖାପାଖି ରହିଥିଲା। ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ବାୟୁ ଗୁଣବତା ସୂଚକାଙ୍କ (ଏକ୍ୟୁଆଇ) ୪୩୩ ଛୁଇଁବା ସହିତ ବାୟୁ ଗୁଣବତା ମଧ୍ୟ ତୀବ୍ର ଭାବରେ ଖରାପ ହୋଇଛି। ଘନ କୁହୁଡିକୁ ଦୃଷ୍ଟିରେ ରଖି ଅନେକ ଏୟାର୍ ଲାଇନ୍ସ ୧୦୦ରୁ ଅଧିକ ବିମାନ ବାତିଲ କରିଛନ୍ତି। ଏପରିକି ଏୟାରଲାଇନ୍ସର ସୁରକ୍ଷା ବଜାୟ ରଖିବା ପାଇଁ ସମୟସୂଚୀରେ ପରିବର୍ତନ ଯୋଗୁ ୩୦୦ରୁ ଅଧିକ ବିମାନ ବିଳମ୍ୱର ସମ୍ମୁଖୀନ ହୋଇଛି। ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ମଧ୍ୟ ଯାତ୍ରୀମାନଙ୍କୁ ବିମାନ ଅପଡେଟ ଯାଂଚ୍ କରିବାକୁ ପରାମର୍ଶ ପ୍ରଦାନ କରିଛି।