ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇପାରନ୍ତି । ତାଙ୍କ ବିରୋଧରେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିଥିବା ନେଇ ମାମଲା ରୁଜୁ ହୋଇଛି । ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିରୋଧରେ ଆପତ୍ତିଜନ ନାରାବାଜି କରିଥିବା ମାମଲାକୁ ନେଇ ତେହେରିକ-ଇ-ଇନସାଫର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇମ୍ରାନଙ୍କ ସମର୍ଥକମାନେ ସରିଫଙ୍କ ମସଜିଦ ଯାତ୍ରା ବେଳେ ତାଙ୍କ ବିରୋଧରେ ନାରାବାଜି କରିଥିଲେ । ଏଥିସହ ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ ବୋଲି ଅଭିଯୋଗ ହୋଇଛି । ପାକିସ୍ତାନର ଗୃହମନ୍ତ୍ରୀ କହିଛନ୍ତି ଯେ, ମସଜିଦ ଏକ ପବିତ୍ର ସ୍ଥାନ । ଏଭଳି ଏକ ପବିତ୍ର ସ୍ଥାନରେ ଆପତ୍ତିଜନ ନାରାବାଜି କରିବା ଅପରାଧ । ସାଉଦି ଆରବ ମଧ୍ୟ ଇମ୍ରାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଏହି ଅଭିଯୋଗରେଜେଲ ଦଣ୍ଡ ଭୋଗିବା ସହ ଜରିମାନା ମଧ୍ୟ ଦେବାକୁ ପଡିପାରେ ।
ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ୨୮ ତାରିଖରେ ପାକ୍ର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜ ପ୍ରତିନିଧିମଣ୍ଡଳଙ୍କ ସହ ୩ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ । ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ଏହା ସରିଫଙ୍କ ପ୍ରଥମ ବିଦେଶ ଯାତ୍ରା ଥିଲା । ନିଜର ଏହି ଯାତ୍ରା ବେଳେ ସରିଫ ଏବଂ ତାଙ୍କ ପ୍ରତିନିଧିମଣ୍ଡଳଙ୍କୁ ପ୍ରବଳ ବିରୋଧ ଓ ନାରାବାଜିର ସାମ୍ନା କରିବାକୁ ପଡିଥିଲା । ଇମ୍ରାନଙ୍କ ସମର୍ଥକମାନେ ସରିଫଙ୍କ ବିରୋଧରେ ‘ଚୋର ଚୋର’ ନାରାବାଜି ମଧ୍ୟ ଦେଇଥିଲେ ।