ଦିଆସିଲି କାଠି ଜଳାଇ ସିଲିଣ୍ଡର ଚେକ୍‌ କରୁକରୁ ଜଳିଗଲେ ଚାରିଜଣ

ଲାଗ ଲାଗ୍‌ କରି ଚାରିଟି ସିଲିଣ୍ଡର ଫୁଟିଥିଲା…..

ଜୟପୁର: ଗ୍ୟାସ୍‌ ସିଲିଣ୍ଡର ସହ ପିଲାଳିଆମି କରି ଚାରିଜଣ ଜିଅନ୍ତା ଜଳି ଯାଇଛନ୍ତି । ଘଟଣାଟି ରାଜସ୍ଥାନର ଯୋଧପୁରରେ ଘଟିଛି । ଶନିବାର ମଧ୍ୟାହ୍ନରେ ଚଳଚଂଚଳ ମଙ୍ଗରା ପୁଂଜଳା ଇଲାକାରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଅନେକଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଥିଲା । ଲାଗ ଲାଗ୍‌ କରି ଚାରିଟି ସିଲିଣ୍ଡର ଫୁଟିଥିଲା ।

ବୋମା ବିସ୍ଫୋରଣ ଆଶଙ୍କା କରି ଲୋକମାନେ କିଛି କ୍ଷଣ ପାଇଁ ଏଣେତେଣେ ଦୌଡ଼ାଦୌଡ଼ି କରିଥିଲେ । ସତ ଘଟଣା ଜାଣିଲାବେଳକୁ ଘରମାଲିକଙ୍କ ତିନୋଟି ପିଲା ଓ ତାଙ୍କ ଶାଳକ ଶୋଚନୀୟ ଭାବେ ମୃତ୍ୟୁବରଣ କରିସାରିଥିଲେ । ବିସ୍ଫୋରଣରେ ଗୁରୁତର ଆହତ ୧୬ ଜଣଙ୍କ ଭିତରୁ ଅଧିକାଂଶ ପୀଡ଼ିତଙ୍କ ଶରୀରର ୮୦ ଭାଗ ଜଳିଯାଇଛି । ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ କରିଛନ୍ତି ଡାକ୍ତର ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଅାଁକୁ ନିୟନ୍ତ୍ରଣ କରିଛନ୍ତି । ଜିଲ୍ଲାପାଳ ହସ୍ପିଟାଲରେ ପହଂଚି ଗୁରୁତର ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରଙ୍କଠାରୁ ସବୁ ବୁଝିଛନ୍ତି । ଆହତଙ୍କ ଚିକିତ୍ସା ପ୍ରତି ହେଳା ନକରିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ସଂପୃକ୍ତ ଅଂଚଳର ବିଧାୟକ, ନଗରପାଳଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଡାକ୍ତରଖାନାରେ ପହଂଚିଛନ୍ତି । ଗ୍ୟାସ୍‌ ସିଲିଣ୍ଡର ପ୍ରତି ସାମାନ୍ୟ ଅବହେଳା ଜୀବନ ନେଇଯାଇପାରେ ବୋଲି ବାରମ୍ବାର ସତର୍କ କରାଯିବା ସତ୍ୱେ ଏପରି ଦୁର୍ଘଟଣା ଘଟୁଥିବାରୁ ପ୍ରଶାସନ ଚିନ୍ତା ପ୍ରକଟ କରିଛି ।