ପାଉଁଶ ତଳୁ: ଆଜି ଭାରତକୁ ମିଳିଥିଲା କଶ୍ମୀର

ନୂଆଦିଲ୍ଲୀ: ଆଜିର ଦିନରେ କଶ୍ମୀରକୁ ପାଇଥିଲା ଭାରତ । ୨୪ ଅଗଷ୍ଟ ୧୯୪୭ ମସିହାର । ରାଜଯକ୍ଷ୍ମା ଓ ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇ ମରଣ ସହିତ ଲଢୁଥିଲେ ପାକିସ୍ତାନ ରାଷ୍ଟ୍ରପତି ମହମ୍ମଦ ଅଲୀ ଜିନ୍ନା । ସେ କିଛିଦିନ ପାଇଁ କଶ୍ମୀରରେ ରହିବାକୁ ଚାହୁଁଥିଲେ । ତେଣୁ ପ୍ରତିରକ୍ଷା ସଚିବ କର୍ଣ୍ଣେଲ ୱିଲିୟମ ବର୍ନୀଙ୍କୁ କଶ୍ମୀର ପଠାଇ ରହିବାର ବନ୍ଦୋବସ୍ତ କରିବାକୁ କହିଲେ । ଜିନ୍ନାଙ୍କ ପାଦ କଶ୍ମୀରରେ ପଡୁ ବୋଲି କଶ୍ମୀରର ତକ୍ରାଳୀନ ରାଜା ହରି ସିଂହ ଚାହୁଁ ନଥିଲେ । ତେଣୁ ସେ ସିଧାସିଧା ଜିନ୍ନାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଲେ । ଜିନ୍ନା ଅପମାନିତ ମନେକରି ହରି ସିଂହଙ୍କ ହାତରୁ କଶ୍ମୀର ଛଡ଼ାଇ ନେବାକୁ ନିଷ୍ପତି ନେଲେ । ତାଙ୍କୁ ଲାଗିଲା, କଶ୍ମୀର ଗୋଟିଏ ପାଚିଲା ଫଳ ଯାହା ଆରାମରେ ପାକିସ୍ତାନ ହାତରେ ପଡ଼ିଯିବ । ଏଠାରେ ଜଣାଇ ଦେଉଛୁ ଯେ କଶ୍ମୀର ଜନସଂଖ୍ୟାର ଚାରିଭାଗରୁ ତିନିଭାଗ ମୁସଲିମ ।

ଜିନ୍ନାଙ୍କ କୂଟନୀତି ସ୍ୱରୂପ ୧୯୪୭ ଅକ୍ଟୋବରରେ ପାକିସ୍ତାନକୁ ସମର୍ଥନ କରୁଥିବା ପାହାଡ଼ିଆ ଜନଜାତି ଗୋଷ୍ଠୀ କଶ୍ମୀରକୁ ଆକ୍ରମଣ କଲେ । ଏହି ଆକ୍ରମଣର ମଞ୍ଜି ଦୁଇମାସ ପୂର୍ବର ଗୋଟିଏ ଛୋଟିଆ ଘଟଣାରୁ ଅଙ୍କୁରିତ ହୋଇଥିଲା । ‘ ଫ୍ରିଡମ୍‌ ଆଟ୍‌ ମିଡ୍‌ ନାଇଟ୍‌ ଅର୍ଥାତ୍‌ ମଧ୍ୟରାତ୍ରରେ ମୁକ୍ତି’ ନାମକ ଏକ ପୁସ୍ତକରେ ଏହି ଘଟଣାକୁ ବିସ୍ତାରିତ ଭାବେ ବର୍ଣ୍ଣନା କରାଯାଇଛି ।
ହରି ସିଂହଙ୍କଠାରୁ ନାସ୍ତିବାଣୀ ଶୁଣିବା ପରେ ଜିନ୍ନାଙ୍କ ତାଙ୍କର ଗୁପ୍ତଚରକୁ କଶ୍ମୀର ପଠାଇ ସ୍ଥିତି ଅନୁଧ୍ୟାନ କରିବାକୁ କହିଲେ । ଗୁପ୍ତଚରଠାରୁ ରିପୋର୍ଟ ପାଇବା ପରେ ଜିନ୍ନାଙ୍କ ଅକଲ ଗୁଡୁମ ହୋଇଗଲା ।
ପାକିସ୍ତାନ ସହିତ ମିଶିବା ପାଇଁ କଶ୍ମୀର ରାଜା ହରି ସିଂହଙ୍କର ଇଛା ନାହିଁ ଶୁଣିବା ପରେ ଜିନ୍ନାଙ୍କର ଘନିଷ୍ଠ ଲିଆକତ୍‌ ଅଲୀ ଖାନ୍‌ ଲାହୋରରେ ଏକ ଗୁପ୍ତ ବୈଠକ କଲେ । ଉକ୍ତ ବୈଠକରେ ଯୋଗ ଦେଇଥିବା ନେତାମାନେ କଶ୍ମୀର ଉପରେ ସିଧା ଆକ୍ରମଣକୁ ପ୍ରତିବାଦ କଲେ । ପାକିସ୍ତାନ ସେନା ମଧ୍ୟ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ରାଜି ନଥିଲା । ପାକିସ୍ତାନ କର୍ଣ୍ଣେଲ ଆକବର ଖାନ୍‌ ଗୋଟିଏ ପ୍ରସ୍ତାବ ଆଗତ କଲେ ଯେଉଁଥିରେ ଅସନ୍ତୁଷ୍ଟ କଶ୍ମୀର ମୁସଲିମଙ୍କ ହାତରେ ଅସ୍ତ୍ରଶସ୍ତ୍ର ଓ ଟଙ୍କା ଧରାଇ ବିଦ୍ରୋହ ସୃଷ୍ଟି କରାଯିବ । ପରେ ମଉକା ଦେଖି ଚାଳିଶି ଅବା ପଚାଶ ହଜାର କଶ୍ମୀର ମୁସଲିମଙ୍କୁ ରାଜଧାନୀ ଶ୍ରୀନଗରକୁ ପଠାଇ ପାକିସ୍ତାନରେ ମିଶିବା ପାଇଁ ରାଜା ହରି ସିଂହଙ୍କୁୂ ବାଧ୍ୟ କରାଯିବ ।

କିନ୍ତୁ ନିୟତିର ଗତି ବଡ଼ ବିଚିତ୍ର ଥିଲା । ବିଦ୍ରୋହୀ ମୁସଲିମଙ୍କୁ ସାବାଡ୍‌ କରିବା ପାଇଁ ହରି ସିଂହ ଭାରତ ସରକାରଙ୍କ ନିକଟକୁ ଚିଠି ପଠାଇ ସୈନ୍ୟ ସାହାଯ୍ୟ ଲୋଡ଼ିଲେ । ପରିଣାମ ସ୍ୱରୂପ କଶ୍ମୀର ଭାରତର ଶରଣାପନ୍ନ ହେଲା । ତା’ପରେ ଯାହା ହେଲା । ଆପଣମାନେ ଜାଣିଛନ୍ତି ।