ଆଜିଠାରୁ ଦେଶରେ ଡିଜିଟାଲ ଟଙ୍କାର ମୂଳଦୁଆ
ସାରା ବିଶ୍ୱର ଅଧିକାଂଶ ରାଷ୍ଟ୍ର ଡିଜିଟାଲ ମୁଦ୍ରା ବ୍ୟବସ୍ଥାକୁ ଆଦରି ନେଇଛନ୍ତି…
ନୂଆଦିଲ୍ଲୀ: ପୂର୍ବ ଘୋଷଣା ମୁତାବକ ନଭେମ୍ବର ପହିଲାଠାରୁ ସାରାଦେଶରେ ଡିଜିଟାଲ ମୁଦ୍ରା ପ୍ରଚଳନ କରୁଛି ରିଜର୍ଭ ବ୍ୟାଙ୍କ । ପ୍ରଥମ କରି ଏ ପ୍ରକାର ବ୍ୟବସ୍ଥା ଆରମ୍ଭ କରାଯାଉଥିବାରୁ ରିଜର୍ଭ ବ୍ୟାଙ୍କ ତାକୁ ପାଇଲଟ୍ ପ୍ରକଳ୍ପ କହୁଛି । ମାତ୍ର ଆଗାମୀ ଦିନରେ ସରକାରୀ ଲେନଦେନ୍ ଓ ବ୍ୟବସାୟିକ ଲେନ୍ଦେନ କ୍ଷେତ୍ରରେ ଡିଜିଟାଲ ମୁଦ୍ରାର ବ୍ୟବହାର ଲାଭଦାୟକ ସାବ୍ୟସ୍ତ ହେବ ବୋଲି ସୋମବାର ରିଜର୍ଭ ବ୍ୟାଙ୍କ ଆଶା ପ୍ରକାଶ କରିଛି । ଭାରତର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଡିଜିଟାଲ ମୁଦ୍ରା ସହାୟକ ହେବ । ଡିଜିଟାଲ ମୁଦ୍ରା ଉପରେ ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ନଜର ରହୁଥିବାରୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ହେରଫେର ଧରାପଡ଼ିଯିବ ।
ପାଇଲଟ୍ ପ୍ରକଳ୍ପରେ ୯ଟି ବାଣିଜ୍ୟିକ ବ୍ୟାଙ୍କ ସାମିଲ ହୋଇଛନ୍ତି । ସେଗୁଡ଼ିକ ହେଉଛନ୍ତି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍ଡିଏଫ୍ସି ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆଇଡିଏଫ୍ସି ବ୍ୟାଙ୍କ ଓ ଏଚ୍ଏସ୍ବିସି ବ୍ୟାଙ୍କ । ଡିଜିଟାଲ ମୁଦ୍ରା ବଜାରକୁ ଆସିବା ଫଳରେ ଲୋକମାନଙ୍କୁ ଆଉ ଟଙ୍କାର ଆବଶ୍ୟକତା ପଡ଼ିବ ନାହିଁ । ମୋବାଇଲ ୱାଲେଟ୍ରେ ଟଙ୍କା ରଖି ଲୋକମାନେ ମାର୍କେଟିଂ କରିପାରିବେ ।
ନିକଟ ଅତୀତରେ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ପ୍ରଚଳନ (ସିବିଡିସି) ବିଷୟ କହିଥିଲା । ସିବିଡିସି ନାଁ ଶୁଣି ଆଶ୍ଚର୍ଯ୍ୟ ହେବାର କାରଣ ନାହିଁ । ସାଧାରଣ ଟଙ୍କାର ଡିଜିଟାଲ ରୂପ ହେଉଛି ସିବିଡିସି । ସାରା ବିଶ୍ୱର ଅଧିକାଂଶ ରାଷ୍ଟ୍ର ଡିଜିଟାଲ ମୁଦ୍ରା ବ୍ୟବସ୍ଥାକୁ ଆଦରି ନେଇଛନ୍ତି । ଭାରତ ସରକାର ୨୦୨୨-୨୩ ବଜେଟ୍ ଆଗତ ସମୟରେ ଡିଜିଟାଲ ମୁଦ୍ରା ବିଷୟ କହିଥିଲେ ।