ଶିଳ୍ପାୟନ ନୁହେଁ ବିଜେଡି ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ

ନବୀନବାବୁ ଥିବା ପର୍ଯ୍ୟନ୍ତ ବିକାଶ କେବଳ ଧୂଅାଁବାଣ

ପୁଞ୍ଜି ଖଟାଇବା ମାନେ ନିଅାଁ ଉପରେ ଚାଲିବା: ମୁକେଶ

ନୂଆଦିଲ୍ଲୀ: ଓଡ଼ିଶାରେ ପୁଞ୍ଜି ଖଟାଇବା ଅର୍ଥ ନିଅାଁ ଉପରେ ବାଟ ଚାଲିବା ବୋଲି କହିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ । ବୁଧବାର ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କ ପ୍ରୟାସରେ ଅନୁଷ୍ଠିତ ଏକ ନିବେଶ ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ ଶୁଣିବା ପରେ ଭାରତର ଏକନମ୍ବର ଶିଳ୍ପପତି ମୁକେଶ ଅମ୍ବାନୀ ତାଙ୍କର ଜଣେ ବିଦେଶୀ ନିବେଶକଙ୍କୁ ଓଡିଶା ସରକାରଙ୍କ ପରାମର୍ଶକୁ ଗୁରୁତ୍ୱ ନଦେବା ପାଇଁ ପରାମର୍ଶ ଦେଇଛନ୍ତି । ଉକ୍ତ ବିଦେଶୀ ନିବେଶକ ରିଲାଏନ୍ସ କମ୍ପାନୀରେ ନିବେଶ କରିଛନ୍ତି ।
ମୁକେଶ ଅମ୍ବାନୀ କହିଛନ୍ତି, ଓଡିଶା ସରକାରଙ୍କ ନିବେଶ ନୀତି ତ୍ରୁଟିପୂର୍ଣ୍ଣ । ଜମି, ପାଣି, ବିଜୁଳି, ରାସ୍ତା, କଂଚାମାଲ, ରେଳ ସଂଯୋଗ, ଜାହାଜ ପଥ, ବଜାର ସୁବିଧା ପ୍ରଭୃତି ଦିଗରେ ଓଡିଶା ସରକାରଙ୍କ ଶିଳ୍ପାୟନ ନୀତି ନିବେଶକଙ୍କୁ ଜାଲରେ ଛନ୍ଦି ଦେବାର ଭ୍ରମ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ଓଡିଶାରେ ନିବେଶ ଖଟାଇବା ବୁଦ୍ଧିମାନର କାମ ହେବନି ।

ନବୀନ ସରକାର ବଦଳରେ ଆଉ ଯେଉଁ ସରକାର ଆସିବେ, ତାଙ୍କର ଶିଳ୍ପନୀତିକୁ ସୂକ୍ଷ୍ମତାର ସହିତ ଅନୁଧ୍ୟାନ କରିବା ପରେ ନିବେଶ ଖଟାଇବା ଉଚିତ ହେବ । ଓଡିଶାକୁ କଂଚାମାଲ ଆଣି ଉତ୍ପାଦନ ପରେ ବାହାର ରାଜ୍ୟକୁ ପଠାଇବା ଅଧିକ ଖର୍ଚ୍ଚଦାୟକ । ରାଜ୍ୟରେ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ ସେଭଳି ବଜାର ବ୍ୟବସ୍ଥା ନାହିଁ । ନବୀନ ପଟ୍ଟନାୟକଙ୍କ ରାଜନୈତିକ ଉଦ୍ଦେଶ୍ୟ ରାଜ୍ୟର ଶିଳ୍ପାୟନ ନୁହେଁ ବରଂ ନିର୍ବାଚନ ପୂର୍ବରୁ ଦଳକୁ ଅଧିକ ପାଣ୍ଠି ଆଣିବାର ପ୍ରୟାସ । ପୂର୍ବରୁ ଯେତେଥର ‘ମେକ୍‌ ଇନ୍‌ ଓଡିଶା’ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ସରକାର ଆପଣା ସଫଳତାର ମନଗଢ଼ା କାହାଣୀ ଶୁଣାଇ ଲୋକଙ୍କ ମନରେ ନବୀନବାବୁଙ୍କ ପ୍ରତି ବିଶ୍ୱାସ ଜନ୍ମାଇବାର ପ୍ରୟାସ କରିଛନ୍ତି ।

ମାତ୍ର ପ୍ରକୃତ କଥା ହେଉଛି, ନବୀନବାବୁ ରାଜ୍ୟ ଭିତରେ ରହିଥିବା କୌଣସି ଉଦ୍ୟମୀକୁ ରିହାତି ମୂଲ୍ୟରେ ଜମି, ପାଣି, ବିଜୁଳି, ଗମନାଗମନ, କଂଚାମାଲ ଯୋଗାଣ ପ୍ରତି ସଚେତନ ନୁହନ୍ତି । ନିଜ ରାଜ୍ୟର ଉଦ୍ୟମୀଙ୍କୁ ଗୁରୁତ୍ୱ ଦେଉ ନଥିବା ସରକାରଠାରୁ ବିଦେଶୀ ନିବେଶକ ଅଧିକ କିଛି ଆଶା କରିବା ବୃଥା । ସୂଚନାଯୋଗ୍ୟ, ୬ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୬ଟି ଦେଶର ପ୍ରତିନିଧିମାନଙ୍କୁ ଭେଟି ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ନାନା ଲୋଭନୀୟ ପ୍ରସ୍ତାବ ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।