ଗାନ୍ଧିଜୀଙ୍କର ତିନିମାଙ୍କଡ଼ ଆମ ଭିତରେ

ମେଧାବୀ ଆଇଏଏସ୍‌ଙ୍କୁ ନଚାଉଛନ୍ତି ମୂର୍ଖ ରାଜନେତା…..

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପୃଷ୍ଠପୋଷକମାନେ ଆମ ହାତକୁ ଏମିତି ରୋଗିଣା ସମ୍ବିଧାନଟିଏ ଧରାଇଛନ୍ତି ଯାହାର ପ୍ରତ୍ୟେକ ପୃଷ୍ଠାରେ ଭଗବାନ ଶ୍ରୀକୃଷ୍ଣଙ୍କର ଅମୃତବାଣୀ ରହିଛି । ମାତ୍ର ତା’ର ବାସ୍ତବ ଚେହେରା ଅତି କଦର୍ଯ୍ୟ । କ୍ଷମତାସୀନ ଦଳ ଦୈନିକ ସମ୍ବିଧାନର ପ୍ରତିଟି ଶବ୍ଦକୁ ଉପହାସ କରିଚାଲିଛି । କିନ୍ତୁ ଗଣତନ୍ତ୍ରର କଙ୍କାଳସାର ମାଲିକ ସମାଜ କ୍ଷମତାସୀନ ଦଳ ହାତରୁ କ୍ଷମତା ପ୍ରତ୍ୟାହାର କରିନେବାର ସତ୍‌ସାହସ ହରାଇବସିଛି ।

୫ ବର୍ଷ ପାଇଁ ଭୋଟ ଦେଇଛ ମାନେ ୫ ବର୍ଷ ପର୍ଯ୍ୟନ୍ତ ପାଟିରେ ହାତ ଦେଇ ମହାତ୍ମା ଗାନ୍ଧୀଙ୍କର ତିନି ମାଙ୍କଡ଼ ପରି ବସିବାକୁ ପ୍ରତ୍ୟେକ ଭୋଟର ଏକରକମ ବାଧ୍ୟ । ସମ୍ବିଧାନର ମୌଳିକ ଅଧିକାରରେ ନାଗରିକମାନଙ୍କୁ ବିଧାୟକ ବା ସାଂସଦ ପଦବୀ ପ୍ରତ୍ୟାହାର କରିବାର ଅଧିକାର ଦିଆଯାଇନି । ଫଳରେ ରାଜନୈତିକ ଦଳକୁ ୫ ବର୍ଷ ପାଇଁ ୧୩୫ କୋଟି ଜନତାଙ୍କୁ ଲୁଟିବା ପାଇଁ ଲାଇସେନ୍ସ ମିଳିଯାଉଛି ।
ସେଇ କ୍ରମରେ ଓଡ଼ିଶାକୁ ଲୁଟିବା ପାଇଁ ଗୋଟିଏ ଦଳକୁ ଦୀର୍ଘମିଆଦି ସୂତ୍ରରେ ମିଳିଯାଇଛି ।

ଶତାବ୍ଦୀ ଶତାବ୍ଦୀ ଧରି ରାଜବଂଶ ଅଧୀନରେ ଶାସିତ ହେବାଫଳରେ ଆମ ରକ୍ତରେ ଗୋଲାମଗିରି ଏତେମାତ୍ରାରେ ଭରି ରହିଛି ଯେ ଆମେ ଆଖିବୁଜି ପଣ୍ଡିତପୁଅକୁ ପଣ୍ଡିତ କହି ସେ ପଢ଼ାଉଥିବା ପାଠକୁ ଠିକ୍‌ ଭାବି ଚାଲିଛୁ । ରୁଗ୍‌ଣ ଶିକ୍ଷା ବ୍ୟବସ୍ଥାର ପ୍ରତିଟି ସୋପାନ ଆମକୁ ଗୋଲାମ ରହିବାକୁ ପରାମର୍ଶ ଦେଇଚାଲିଛି । ଏଠି ଆଇନ ତିଆରି କରୁଥିବା ବିଧାୟକ ଓ ସାଂସଦମାନଙ୍କର ଶିକ୍ଷାଗତ ଯୋଗ୍ୟତା ଦରକାର ନାହିଁ ।

କିନ୍ତୁ ସେମାନଙ୍କ ହାତରେ ନାଚୁଥିବା ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ପକ୍ଷେ ଶିକ୍ଷାଗତ ଯୋଗ୍ୟତା ବାଧ୍ୟତାମୂଳକ । ପ୍ରତିଯୋଗିତାମୂଳକ ପରୀକ୍ଷାର କଠିନ ସୋପାନ ଅତିକ୍ରମ କରିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଏ ଟିପଚିହ୍ନ ଦେଉଥିବା ରାଜନେତାଙ୍କ ହାତରେ ନାଚିବା ପାଇଁ । ମେଧାବୀର ପରିଚୟ ବହନ କରି ମୂର୍ଖ ରାଜନେତାଙ୍କ ନିର୍ଦ୍ଦେଶରେ ଉଠବସ ହେବା ଆଧୁନିକ ଗୋଲାମଗିରି ନୁହେଁ ତ ଆଉ କ’ଣ ହୋଇପାରେ?

(ଏଠାରେ ସ୍ପଷ୍ଟ କରିଦେଉଛୁ କି ସ୍ତମ୍ଭକାର ତାଙ୍କର ନିଜସ୍ୱ ମତାମତ ପ୍ରଦାନ କରିଛନ୍ତି । ତାଙ୍କ ଆଲେଖ ଉପରେ କୈଫିୟତ ଦେବା ପାଇଁ ସମ୍ପାଦକ ଅବା ପ୍ରକାଶକ ଦାୟୀ ରହିବେ ନାହିଁ । ପାଠକଙ୍କ ରୁଚି ପ୍ରତି ଦୃଷ୍ଟିପାତ କରି ଏହି ଆଲେଖକୁ ପ୍ରକାଶ କରିଛୁ ମାତ୍ର ।)