ତାମିଲନାଡୁ: ଚାଲି ଚାଲି ଯାଉଥିବା ଯୁବକଙ୍କୁ ଅଟକାଇଲେ ,ଆଉ ଦିନଦ୍ଵିପ୍ରହରରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ମୁଣ୍ଡ କାଟି ନେଇ ଗୀର୍ଜା ସମ୍ମୁଖରେ ରଖିଦେଇଥିଲେ। ରବିବାର ସନ୍ଧ୍ୟାରେ ଉତାଗୁଡ଼ିର ସେଣ୍ଟ୍ ମେରିଜ୍ ଚର୍ଚ ଜଙ୍କ୍ସନ୍ରେ ଜଣେ ଯୁବକଙ୍କୁ କିଛି ଦୁର୍ବୁତ୍ତ ନୃଶଂସ ଭାବେ ହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ଉତାନଗୁଡ଼ି ନିକଟ ସୋଲାଇଆପ୍ପାନ ନଗରର ୨୨ ବର୍ଷିୟ ବି. ମୁରୁଗାନାଥମ୍।

ତେବେ ଏହି ଆକ୍ରମଣରେ ଗୁରୁତର ଆହତ ହୋଇ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ମୃତକଙ୍କ ଜଣେ ବନ୍ଧୁ। ବର୍ତ୍ତମାନ ସେ ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହି ଘଟଣାର ଦୃଶ୍ୟ ସେ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ପୋଲିସ କହିବା ମୁତାବିକ, ରବିବାର ସନ୍ଧ୍ୟାରେ ମୁରୁଗାନାଥମ୍ ତାଙ୍କ ବନ୍ଧୁ ମୁନିଆସାମୀଙ୍କ ସହ ଗୀର୍ଜା ନିକଟରେ ଚାଲି ଚାଲି ଯାଉଥିବା ବେଳେ କାର୍ରେ ଆସିଥିବା ଅପରାଧୀମାନେ ସେ ଦୁହିଁଙ୍କୁ ଅଟକାଇଥିଲେ। ସେମାନଙ୍କୁ ଦେଖି ଦୁହେଁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଅପରାଧୀମାନେ ମୁରୁଗାନାଥମ୍ଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେ ମରିଯିବାରୁ ଅପରାଧୀମାନେ ତାଙ୍କ ମୁଣ୍ଡ କାଟି ଗୀର୍ଜା ସମ୍ମୁଖରେ ରଖିଦେଇଥିଲେ।
ଏହି ଘଟଣା ପରେ ବାଇପାସ୍ ରୋଡ୍ରେ ଧାରୁଆ ଅସ୍ତ୍ରଶସ୍ତ୍ର ଥିବା ଏକ ପରିତ୍ୟକ୍ତ କାର୍ ମିଳିଛି। ଆତତାୟୀମାନେ ସେହି କାର୍ଟି ବ୍ୟବହାର କରିଥିବା କଥା ପୁଲିସ ସନ୍ଦେହ କରୁଛି। ଏ ପର୍ଯ୍ୟନ୍ତ ପୁଲିସ ଆତତାୟୀଙ୍କ ସନ୍ଧାନ ଏବଂ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ କୌଣସି ଟେର୍ ପାଇନାହିଁ। ସନ୍ଦିଗ୍ଧମାନଙ୍କର ସନ୍ଧାନ ନେବା ଲାଗି ଏକାଧିକ ପୁଲସ ଟିମ୍ ଗଠନ କରାଯାଇଛି। କୀରାତୁରାଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।