ସ୍ପଷ୍ଟ ଦିବାଲୋକରେ ଗ୍ୟାଙ୍ଗଷ୍ଟର ରାଜୁ ଠେହଟ୍ଙ୍କୁ ହତ୍ୟା
ଡିଜିପିଙ୍କ ସୂଚନା ମୁତାବକ ରାଜସ୍ଥାନର ସବୁ ସୀମାକୁ ସିଲ କରି ଦିଆଯାଇଛି….
ଜୟପୁର: ଶନିବାର ସକାଳେ ରାଜସ୍ଥାନର ସିକର ନିକଟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ରାଜୁ ଠେହଟ୍ ପ୍ରାଣ ହରାଇଛି । ରାଜୁ ତା’ ଘର ବାହାରେ ଠିଆ ହୋଇଥିଲା । ସେହି ସମୟରେ କୋଚିଂ ଡ୍ରେସ୍ ପିନ୍ଧା ଗୁଣ୍ଡାମାନେ ସେଠାରେ ପହଂଚି ରାଜୁଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ପଳାୟନ କରିଥିଲେ । ରାଜୁଙ୍କ ଶରୀରରେ ତିନୋଟିରୁ ଅଧିକ ଗୁଳି ବାଜିଥିଲା । ଜିଲ୍ଲା ହସ୍ପିଟାଲ ନିକଟରେ ଧାରଣାରତ ଲୋକଙ୍କୁ ଭେଟିବା ପରେ କଂଗ୍ରେସ ବିଧାୟକ ମୁକେଶ ଭାକର ଅପରାଧୀଙ୍କ ଗିରଫଦାରି ଦାବି କରିଛନ୍ତି ।
ଡିଜିପି ଉମେଶ ମିଶ୍ର କହିଛନ୍ତି ଯେ ଜଣେ ଅପରାଧୀ ଫାୟାରିଂ ଭିଡିଓ ପ୍ରସ୍ତୁତ କରିଛନ୍ତି । ରାଜୁଙ୍କ ହତ୍ୟାକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର କୁଖ୍ୟାତ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ନିଜକୁ ଦାୟୀ କରିଛି । ହତ୍ୟାକାଣ୍ଡରେ ଭାଗ ନେଇଥିବା ପାଂଚଜଣ ସାର୍ପ ସୁଟର୍ଙ୍କ ଭିତରୁ ଚାରିଜଣଙ୍କୁ ଚିହ୍ନଟ କରାଯାଇଛି । ଡିଜିପିଙ୍କ ସୂଚନା ମୁତାବକ ରାଜସ୍ଥାନର ସବୁ ସୀମାକୁ ସିଲ କରି ଦିଆଯାଇଛି ।
ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି । ରାଜୁଙ୍କ ଉପରକୁ ଗୁଳିମାଡ଼ କରାଯାଉଥିବାର ଦେଖି ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଘଟଣାର ଭିଡିଓ ସୁଟିଂ କରୁଥିଲେ । ବନ୍ଧୁକଧାରୀଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିବା କ୍ଷଣି ଗୁଳି ଚଳାଇଥିଲେ । ଫଳରେ ଭିଡିଓ ସୁଟିଂ କରୁଥିବା ବ୍ୟକ୍ତିଜଣକ ସେହିଠାରେ ଟଳି ପଡ଼ିଥିଲେ ।