ଗମ୍ଭୀରଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଲା ବିସିସିଆଇ । ବିସିସିଆଇ ସଚିବ ଜୟ ଶାହା ଗମ୍ଭୀରଙ୍କ ନାଁ ଘୋଷଣା କରି ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଟିମ ଇଣ୍ଡିଆ ପାଇଁ ଗୌତମ ଗମ୍ଭୀରଙ୍କ ଅନେକ ଅବାଦନ ରହିଛି । ଗମ୍ଭୀର ୨୦୧୧ ବିଶ୍ୱକପ ଦଳର ସଦସ୍ୟ ରହିଥିଲେ । ଏହାସହ ତାଙ୍କ ଦମଦାର ପ୍ରଦର୍ଶନ ପାଇଁ ଭାରତ ବିଶ୍ୱକପ ଜିତିବାରେ ସଫଳ ହୋଇପାରିଥିଲା । ସେହିପରି ଗମ୍ଭୀର ଟିମ ଇଣ୍ଡିଆ ପାଇଁ ୫୮ ଟେଷ୍ଟ ମ୍ୟାଚ ଖେଳି ୪ ହଜାର ୧୫୪ ରନ କରିଛନ୍ତି । ୧୪୭ ଦିନିକିଆ ଖେଳି ୫ ହଜାର ୨୩୮ ରନ କରିଛନ୍ତି ।
ଟି-୨୦ରେ ୩୭ ମ୍ୟାଚ ଖେଳି ୯୩୨ ରନ କରିପାରିଛନ୍ତି । ତେବେ ଆଇପିଏଲରେ କୋଲକାତାକୁ ୩ ଥର ଚାମ୍ପିୟନ କରାଇବାରେ ଗମ୍ଭୀରଙ୍କ ଅନେକ ଭୂମିକା ରହିଛି । ୨ଥର ଅଧିନାୟକ ଭାବେ ଚାମ୍ପିୟନ କରାଇଥିବା ବେଳେ ଥରେ କୋଚ ଭାବେ ସଫଳତା ଦେଇଛନ୍ତି । ଟିମ ଇଣ୍ଡିଆର କୋଚ ହେବା ନେଇ ଗମ୍ଭୀରଙ୍କ ନାଁ ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା । କାରଣ ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ କାର୍ୟ୍ୟକାଳ ଶେଷ ହୋଇ ସାରିଛି ।
ଆଇପିଏଲ ଟିମ୍ କୋଲକାତା ନାଇଟ ରାଇଡର୍ସକୁ ଝଟକା ଲାଗିଛି । କାରଣ ଗମ୍ଭୀର ମାର୍ଗଦର୍ଶନରେ ଦଳ ଚଳିତ ବର୍ଷ ଆଇପିଏଲ୍ ଚାମ୍ପିୟନ ହୋଇଥିଲା। ସେହିପରି ତାଙ୍କୁ ଆସନ୍ତା ୧୦ ବର୍ଷ ପାଇଁ ଟିମ୍ର ମେଣ୍ଟର ବା ମାର୍ଗଦର୍ଶକ କରି ରଖିବା ପାଇଁ ଯୋଜନା କରିଥିଲେ ଏହାର ସହ-ମାଲିକ ଶାହରୁଖ ଖାନ। ତେବେ ଗମ୍ଭୀରଙ୍କ ସ୍ଥାନ ପୂରଣ କରିବାକୁ ରାହୁଲ ଡ୍ରାଭିଡଙ୍କ ଉପରେ ନଜର ପକାଇଛି କୋଲକାତା ନାଇଟ ରାଇଡର୍ସ। ସୂଚନା ଅନୁଯାୟୀ, ଗମ୍ଭୀରଙ୍କ ପରେ ଦଳ ଆଉ କାହାକୁ ମେଣ୍ଟର କରିବ, ସେ ନେଇ ଏକ ତାଲିକା ପ୍ରସ୍ତୁତ କରିଛି। ଆଉ ସେଥିରେ ରାହୁଲ ଡ୍ରାଭିଡଙ୍କ ନାଁ ମଧ୍ୟ ରହିଛି। କିନ୍ତୁ ଦଳ ଏଯାଏଁ ରାହୁଲଙ୍କ ସହିତ ଏ ନେଇ କଥାବାର୍ତ୍ତା କରି ନାହିଁ ।