କଂଗ୍ରେସକୁ ଫେରିବେ ଗୁଲାମ ନବୀ ଆଜାଦ!

ରାହୁଲ ଗାନ୍ଧୀଙ୍କ ଦୁର୍ବଳ ନେତୃତ୍ୱକୁ ଗୁଲାମ ସମାଲୋଚନା କରିଥିଲେ….

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଆରମ୍ଭ କରିଥିବା ଭାରତ ଜୋଡୋ ଯାତ୍ରା ଜାନୁଆରୀ ୨୦ ତାରିଖରେ ଜମ୍ମୁ-କଶ୍ମୀର ପହଂଚିବ । ତା’ ପୂର୍ବରୁ ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦଙ୍କୁ ପାର୍ଟିରେ ସାମିଲ କରିବା ପାଇଁ ଜୋରସୋର ଉଦ୍ୟମ ଚାଲିଛି । ଚଳିତ ଅଗଷ୍ଟରେ ଗୁଲାମ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସୋନିଆ ଗାନ୍ଧୀଙ୍କ ପରାମର୍ଶ କ୍ରମେ ବରିଷ୍ଠ ନେତ୍ରୀ ଅମ୍ବିକା ସୋନୀ ଗୁଲାମଙ୍କୁ ଭେଟିଛନ୍ତି । ଅମ୍ବିକାଙ୍କ ଅନୁରୋଧ କ୍ରମେ ଗୁଲାମ ରାହୁଲଙ୍କ ସହ କଥା ହୋଇପାରନ୍ତି ।

କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମ ମିଡିଆ ଆଗରେ ମନର କ୍ଷୋଭ ପ୍ରକାଶ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟରେ ଗୁଲାମ ନବୀ ଆଜାଦ ଗଭୀର ଦୁଃଖ ପ୍ରକାଶ କରିଥିଲେ । ରାହୁଲ ଗାନ୍ଧୀଙ୍କ ଦୁର୍ବଳ ନେତୃତ୍ୱକୁ ଗୁଲାମ ସମାଲୋଚନା କରିଥିଲେ । ସେ କହିଥିଲେ, କଂଗ୍ରେସକୁ ମଜଭୁତ କରିବା ପାଇଁ ମୁଁ ୫୨ ବର୍ଷ କଠୋର ପରିଶ୍ରମ କରିଛି । ବଂଚିଥିବା ଯାଏ କଂଗ୍ରେସ ପାଇଁ କାମ କରିବାକୁ ରାଜି ଅଛି ।

ଦଳକୁ ଦକ୍ଷ ନେତାଟିଏ ଦିଆଯାଉ ବୋଲି ମୁଁ ଯେତେ କହିଲି, ମୋ କଥା କେହି ଶୁଣିଲେନି । ପରିଣାମ ସ୍ୱରୂପ କଂଗ୍ରେସ ତା’ର ଗୌରବ ହରାଇ ବସିଛି । କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ମତରେ ଗୁଲାମ ନବୀ ଆଜାଦଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିଯାଇଥିଲା । ତାଙ୍କୁ ଆଉ ଥରେ ରାଜ୍ୟସଭାକୁ ପଠା ନଯିବାରୁ ସେ କ୍ଷୋଭ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଥିଲେ ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ସମାଲୋଚନା କରି ଆସୁଥିବା ୨୩ ଜଣ କଂଗ୍ରେସ ନେତାଙ୍କୁ ଏକଜୁଟ କରି ଗୁଲାମ ଜି-୨୩ ଗଠନ କରିଥିଲେ । ଜି-୨୩ ସବୁବେଳେ ରାହୁଲଙ୍କ କାର୍ଯ୍ୟକଳାପକୁ ଟାର୍ଗେଟ୍‌ କରିବାରୁ କଂଗ୍ରେସର ନେତୃତ୍ୱ ପ୍ରତି ଦେଶବାସୀଙ୍କ ମନରେ ସନ୍ଦେହ ଜାତ ହେଲା । କଂଗ୍ରେସରୁ ଇସ୍ତଫା ଦେଇ ଆଜାଦ ଏକ ରାଜନୈତିକ ଦଳ ଘୋଷଣା କରିଛନ୍ତି । ତେବେ ଅମ୍ବିକାଙ୍କ ସହ କଥା ହେବାପରେ ଗୁଲାମ ଆଗକୁ କି ପଦକ୍ଷେପ ଗ୍ରହଣ କରୁଛନ୍ତି । ତାହା ସମୟ କହିବ ।