ଜାପାନ କବରଖାନାରୁ ସର୍ପାକୃତିର ବିଶାଳ ଖଣ୍ଡା ଉଦ୍ଧାର

ଆଶ୍ଚର୍ଯ୍ୟର ବିଷୟ ହେଉଛି ଆୟତକ୍ଷେତ୍ର ବିଶିଷ୍ଟ ଆଇନା….

ଟୋକିଓ: ଜାପାନର ନାରାସହର ଅନ୍ତର୍ଗତ ପ୍ରସିଦ୍ଧ ଟୋମିୟୋ ମାରୁୟାମା ଟୁମୁଲ୍‌ସ (କବର ଉପରଅଂଶ) ଖୋଳିବାରୁ ପ୍ରତ୍ନତତ୍ୱବିଦ ମଣ୍ଡଳୀ ବିଶାଳ ଲୁହାଖଣ୍ଡା ଉଦ୍ଧାର କରିଛନ୍ତି । ଖଣ୍ଡା ନିକଟରେ କାଂସ୍ୟ ଆଇନା ଥିଲା । ଉଭୟ ଖଣ୍ଡା ଓ ଆଇନା ଖ୍ରୀଷ୍ଟାବ୍ଦ ୩୦୦-୭୦୦ ଅମଳର । ନଭେମ୍ବରରେ ପ୍ରତ୍ନତତ୍ୱବିଦ ବିଶେଷଜ୍ଞ ମଣ୍ଡଳୀ କବରସ୍ଥଳକୁ ଖୋଳିଥିଲେ; ଜାନୁଆରୀ ୨୫ ତାରିଖରେ ଗଣମାଧ୍ୟମକୁ ତଥ୍ୟ ପ୍ରଦାନ କରିଥିଲେ ।

ଦୁଇଟି ଯାକ ଦୁର୍ଲଭ ବସ୍ତୁକୁ ଜାତୀୟ କୋଷାଗାରରେ ରଖାଯାଇଛି । ଖଣ୍ଡାଟିର ଲମ୍ବ ପ୍ରାୟ ସାଢେ଼ ସାତଫୁଟ (୨.୩ ମିଟର) ଓ ଦେଖିବାକୁ ସର୍ପାକୃତିର । ଜାପାନରେ ସର୍ପାକୃତିର ଖଣ୍ଡା ମିଳିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଆୟତକ୍ଷେତ୍ର ବିଶିଷ୍ଟ ଆଇନା । ଜାପାନରେ ସାଧାରଣତଃ ଗୋଲାକୃତିର ଆଇନା ଦେଖିବାକୁ ମିଳିଥାଏ । ୫ କିଲୋ ୭୦୦ ଗ୍ରାମ ଓଜନର ଆଇନାଟିର ଲମ୍ବ ୬୪ ସେମି ଓ ଚଉଡ଼ା ୩୧ ସେମି ।