ଏଣିକି ସୈନିକ ସ୍କୁଲରେ ପଢିବେ ଝିଅ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୫ତମ ସ୍ୱାଧିନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିବା ସହ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି । ଏଣିକି ସୈନିକ ସ୍କୁଲରେ ଝିଅମାନଙ୍କୁ ପଢ଼ିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ କେବଳ ମିଜୋରାମର ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଏବେ ଦେଶର ସବୁ ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢିବାକୁ ସୁଯୋଗ ମିଳିବ । ଏହାସହ ମୋଦୀ କହିଛନ୍ତି ଯେ, ବୋର୍ଡ ପରୀକ୍ଷା ହେଉ ବା ଅଲିମ୍ପିକ୍ସ ସବୁଠି ଦମଦାର ପ୍ରଦର୍ଶନ କରୁଛନ୍ତି ଦେଶର ଝିଅ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦେଶରେ ଯାହା ବି ଉତ୍ପାଦ ନିର୍ମାଣ କରିବା ତାହା ସବୁଠୁ ଉଚ୍ଚମାନର ହେବା ଆବଶ୍ୟକ, ଯାହା ବିଶ୍ୱସ୍ତରୀୟ ଉତ୍ପାଦକୁ ଟକ୍କର ଦେଇପାରିବ । ଦେଶରେ ନିର୍ମାଣ ହେଉଥିବା ଉତ୍ପାଦରେ କେବଳ କମ୍ପାନିର ନାଁ ନଥାଏ ବରଂ ଦେଶର ନାଁ ଯୋଡି ହୋଇ ରହିଥାଏ ।
ଦେଶରେ ନୂଆ ଶିକ୍ଷାନୀତି ଲାଗୁ ହେବା ପରେ ଛାତ୍ରଛାତ୍ରୀଙ୍କର ଆଉ ଭାଷାଗତ ସମସ୍ୟା ରହିବ ନାହିଁ । ପାଠପଢାରେ କୌଣସି ସମସ୍ୟା ରହିବନି । ଏବେ କ୍ରୀଡା ପାଇଁ ଲୋକଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି । କ୍ରୀଡାକୁ ନେଇ ଅଭିଭାବକଙ୍କ ଦୃଷ୍ଟିକୋଣ ବଦଳିଛି, ଆଉ ଅଲିମ୍ପିକ୍ସ ଏହା ପଛର ବଡ଼ କାରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ଏଥିରେ ଖେଳକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି ।