ଅବସର ଘୋଷଣା କରିଛନ୍ତି ଗୋଲକିପର ପିଆର ଶ୍ରୀଜେଶ

ପ୍ୟାରିସ ଅଲମ୍ପୁକ୍ସ ପୂର୍ବରୁ ଅବସର ନେଇଛନ୍ତି ହକିର ‘ଦ ୱାଲ୍’ । ୩୬ ବର୍ଷୀୟ ଭେଟେରାନ ଗୋଲକିପର ଶ୍ରୀଜେଶ ସ୍ପଷ୍ଟ କରିଛନ୍ତି ଯେ, ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ ହେବ ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ଶ୍ରୀଜେଶ କହିଛନ୍ତି, “ଏହି ଯାତ୍ରା ଅବିଶ୍ୱସନୀୟ ଥିଲା । ସମର୍ଥନ, ବିଶ୍ୱାସ ଓ ଭଲପାଇବା ପାଇଁ ପରିବାର ସଦସ୍ୟ, ସାଥୀ ଖେଳାଳି, କୋଚ୍, ପ୍ରଶଂସକ ଓ ହକି ଇଣ୍ଡିଆ ପ୍ରତି କୃତଜ୍ଞ । ମୋ ଉପରେ ବିଶ୍ୱାସ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ୟାରିସ ଅଲମ୍ପିକ୍ ମୋର ଶେଷ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ମୋର ସାଥୀ ଖେଳାଳି ସର୍ବଦା କଠିନ୍ ସମୟରେ ମୋ ସାଥ୍ ଦେଇଛନ୍ତି । ପ୍ୟାରିସରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛୁ ଓ ଏଥର ପଦକର ରଙ୍ଗ ମଧ୍ୟ ବଦଳାଇବାକୁ ଆଶା ରଖିଛୁ ।”

୩୨୮ ଅନ୍ତର୍ଜାତୀୟ ମ୍ୟାଚ୍, ୩ଟି ଅଲମ୍ପିକ୍ ଗେମ୍ସ, କମନୱେଲ୍ଥ ଗେମ୍ସ ଓ ବିଶ୍ୱକପ ଖେଳିଥିବା ଶ୍ରୀଜେଶ ପ୍ୟାରିସରେ ନିଜର ଚତୁର୍ଥ ଅଲମ୍ପିକ୍ ଖେଳିବେ । ୨୦୦୬ ସାଉଥ ଏସିଆନ ଗେମ୍ସରେ ଡେବ୍ୟୁ କରିଥିବା ଶ୍ରୀଜେଶ, ଭାରତୀୟ ହକିର ଅନେକ ସ୍ମରଣୀୟ ବିଜୟର ଅଂଶ ରହିଛନ୍ତି । ୨୦୧୪ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ, ଜାକର୍ତ୍ତାରେ କାଂସ୍ୟ, ୨୦୧୮ ଏସିଆଲ ଚାମ୍ପିୟନ୍ସ ଟ୍ରଫିର ଯୁଗ୍ମ ବିଜେତା, ଭୁବନେଶ୍ୱରରେ ଖେଳାଯାଇଥିବା ୨୦୧୯ ଏଫଆଇଏଚ ପୁରୁଷ ସିରିଜ ଫାଇନାଲରେ ସ୍ୱର୍ଣ୍ଣ ଓ ୨୦୨୨ ବର୍ମିଂହାମ କମନୱେଲ୍ଥ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଟିମର ସଦସ୍ୟ ରହିଛନ୍ତି ।

ଟୋକିଓ ୨୦୨୦ ଅଲମ୍ପିକ ଗେମ୍ସରେ ଭାରତର ଐତିହାସିକ କାଂସ୍ୟ ପଦକ ବିଜୟରେ ଅନ୍ୟତମ ମୁଖ୍ୟ ନାୟକ ରହିଥିଲେ ଶ୍ରୀଜେଶ । କେବଳ ସେତିକି ନୁହେଁ ଏଫଆଇଏଚ ହକି ପ୍ରୋ ଲିଗ୍ ୨୦୨୧/୨୨ରେ ଦମଦାର ପ୍ରଦର୍ଶନ ସହ ତୃତୀୟ ସ୍ଥାନରେ ରହିଥିବା ଭାରତୀୟ ଟିମରେ ତାଙ୍କର ବିଶେଷ ଯୋଗଦାନ ରହିଥିଲା । ୨୦୨୧ରେ ଶ୍ରୀଜେଶଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ବର୍ଷ ୨୦୨୧ରେ ସେ ଦ୍ୱିତୀୟ ଭାରତୀୟ କ୍ରୀଡାବିତ୍ ଭାବେ ୱାର୍ଲ୍ଡ ଗେମ୍ସ, ଆଥଲେଟ୍ ଅଫ ଦି ଇୟର ସମ୍ମାନ ହାସଲ କରିଥିଲେ । ଗତବର୍ଷ ଶ୍ରୀଜେଶ, ଏସୀୟ କ୍ରୀଡ଼ାରେ ଭାରତୀୟ ଟିମର ସ୍ୱର୍ଣ୍ଣ ପଦକ ବିଜୟ ଅଭିଯାନରେ ସାମିଲ ଥିଲେ । ଏହାପରେ ଭାରତୀୟ ଟିମ ପ୍ୟାରିସ୍ ୨୦୨୪ ଅଲମ୍ପିକ ଟିକେଟ୍ ହାସଲ କରିଥିଲା ।