ନୂଆଦିଲ୍ଲୀ: ପୂର୍ବ ପ୍ରଶାନ୍ତ ମହାସାଗରରେ ଦାନା ବାନ୍ଧିଛି ବାତ୍ୟା ଅଗଥା । ଯାହା ମେକ୍ସିକୋର ଦକ୍ଷିଣ ଉପକୂଳରେ ମାଡ ହେବ ବୋଲି ସୂଚନା ମିଳିଛି । ବାତ୍ୟା ମୁକାବିଲା ପାଇଁ ମେକ୍ସିକୋ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ ଜାରି କରିଛନ୍ତି । ୟୁଏସ ନ୍ୟାଶନାଲ ହୁରିକେନ ସେଣ୍ଟରର ରିପୋର୍ଟ ଅନୁସାରେ, ଅଗଥା ହେଉଛି କ୍ୟାଟାଗୋରୀ ୨ର ଝଡବାତ୍ୟା । ଏହାରି ପ୍ରଭାବରେ ମେକ୍ସିକୋର ଓଜାକା ରାଜ୍ୟର ପୁଏରତୋ ଆଞ୍ଜେଲ ଦ୍ୱୀପରେ ଘଣ୍ଟା ପ୍ରତି ୧୦୫ ମାଇଲ ବେଗରେ ବା ୧୬୯ କିମି ବେଗରେ ପବନ ବହୁଛି । ତେବେ ଏହା ଲ୍ୟାଣ୍ଡଫଲ କରିବା ପରେ ଦୁର୍ବଳ ହୋଇଯିବ ବୋଲି ଅନୁମାନ କରାଯାଉଛି । ବାତ୍ୟା ମୁକାବିଲା ପାଇଁ ମେକ୍ସିକୋ ସରକାର ୨୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିଛନ୍ତି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପାରେ ଓ ଢେଉ ଉଠିପାରେ । ଏହା ବ୍ୟତୀତ କେତେକ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି ।