ବିରାଟ ବାହିନୀର ବିରାଟ ବିଜୟ

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଭାରତକୁ ବିଜୟ ଆଣିଦେଇଛି । ଏହି ଟେଷ୍ଟରେ ଭାରତ ୧୧୩ ରନରେ ବିଜୟୀ ହୋଇଛି । ଏହି ବିଜୟ ସହ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ୩୦୫ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୯୧ ରନ୍‌ କରି ଅଲଆଉଟ ହୋଇଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ସିରାଜ ଓ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ୨ଟି ଲେଖାଏ ୱିକେଟ୍‌ ହାସଲ କରିଛନ୍ତି ।

ସେହିପରି ଶତକୀୟ ଇନିଂସ୍‌ ଖେଳିଥିବା ଲୋକେଶ ରାହୁଲ ପ୍ଲେୟର୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ ହରାଇ ୯୪ ରନ୍‌ କରିଥିଲା । ଭାରତକୁ ବିଜୟ ପାଇଁ ୬ ୱିକେଟ୍‌ ଦରକାର ହେଉଥିଲା । ଦିବସର ଆରମ୍ଭରୁ କ୍ୟାପଟେନ୍‌ ଡିନ୍‌ ଏଲଗାର ଓ ତେମ୍ବା ବାଭୁମା ଧୈର୍ଯ୍ୟର ସହ ଖେଳିଥିଲେ । ତେବେ ଏହି ଯୋଡିକୁ ଭାଙ୍ଗିଥିଲେ ଯଶପ୍ରୀତ ବୁମ୍ରା । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୱିଣ୍ଟନ ଡି’କକ୍‌ ଦ୍ରୁତ ରନ୍‌ କରିଥିଲେ । ତେବେ ଡି’କକ ୨୧ ରନ୍‌ ପାଭିଲିୟନ ଫେରିଥିଲେ । ଡି’କକଙ୍କ ୱିକେଟ୍‌ ପରେ ଭାରତର ବିଜୟ ଔପଚାରିକ ହୋଇଯାଇଥିଲା । ଏହିପରି ଭାବେ ଦକ୍ଷିଣ ଆଫ୍ରିକା ଇନିଂସ୍‌ ୧୯୧ ରନରେ ସୀମିତ ରହିଯାଇଥିଲା ।