ଗ୍ରୀନଲାଣ୍ଡ କାହାର ଗୋଲାମ ନୁହେଁ: ପ୍ରଧାନମନ୍ତ୍ରୀ ମୁଟେ ବୌରୁପ

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ସଫା ସଫା ଅଗ୍ରାହ୍ୟ କରିଛନ୍ତି ଗ୍ରୀନଲାଣ୍ଡ ପ୍ରଧାନମନ୍ତ୍ରୀ ମୁଟେ ବୌରୁପ । ଏକ ବାରତାରେ ବୌରୁପ ଉଲ୍ଲେଖ କରିଛନ୍ତି, ଗ୍ରୀନଲାଣ୍ଡ କାହାର ଦୟାର ପାତ୍ର ହୋଇ ରହିବାକୁ ଚାହେଁନା । ଗ୍ରୀନଲାଣ୍ଡ ଜନତା ସେମାନଙ୍କ ଭାଗ୍ୟ ତିଆରି କରିବା ଜାଣନ୍ତି । ଗ୍ରୀନଲାଣ୍ଡ ଉପରେ ଡେନମାର୍କର କୌଣସି ଅଧିକାର ନାହିଁ ।

ଦ୍ୱିତୀୟ ବାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଗର୍ବ ଓ ଅହଂକାର ଚରମ ସୀମାରେ ପହଂଚି ଯାଇଛି ଯାହା ତାଙ୍କ ମନରେ ଗ୍ରୀନଲାଣ୍ଡ ଦଖଲ କରିବାର ଆଶାକୁ ମଜଭୁତ କରିଛି । କଂଗ୍ରେସର ମିଳିତ ଅଧିବେଶନକୁ ଉଦ୍‌ବୋଧନ ଦେବା ଅବସରରେ ଟ୍ରମ୍ପ ଗ୍ରୀନଲାଣ୍ଡ ଉଦ୍ଦେଶ୍ୟରେ ଏକ ପ୍ରସ୍ତାବ ଉପସ୍ଥାପନ କରି କହିଥିଲେ, ଆପଣମାନେ ଆମ ପ୍ରସ୍ତାବକୁ ହୃଦୟ ସହିତ ଗ୍ରହଣ କରନ୍ତୁ । ଆମେ ଆପଣଙ୍କୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବୁ ।

ଆମେ ଆପଣଙ୍କ ଜୀବନ ଧାରଣ ମାନକୁ ଏତେ ଉପରକୁ ନେଇଯିବୁ ଯାହା ଆପଣ କେବେ କଳ୍ପନା କରି ନଥିବେ ।
ଗ୍ରୀନଲାଣ୍ଡ ପ୍ରଧାନମନ୍ତ୍ରୀ ବୌରୁପ ଟ୍ରମ୍ପଙ୍କ ଅଭିଭାଷଣ ଶୁଣିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆମକୁ ଗୋଲାମ କରି ରଖିବାର ଆଗ୍ରହ ଭୁଲିଯାନ୍ତୁ ଟ୍ରମ୍ପ । ଆମେ ପୂର୍ଣ୍ଣ ସ୍ୱାଧିନ । କାହାର ଗୋଲାମଗିରି କରି ଖିରି ମାଲପୁଆ ଖାଇବା ତୁଳନାରେ ସ୍ୱାଧିନତାର ସହିତ ଶୁଖିଲା ରୁଟି ଖାଇ ବଂଚିବୁ ।