ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଜିତିଛନ୍ତି। ବାଚନିକ ଭୋଟରେ ସେ ବାଜି ମାରିଥିବା ବେଳେ ତାଙ୍କ ନାମ ବିଜୟୀ ଘୋଷଣା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ।
ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଜେପି ନଡ୍ଡା ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ଚୟନ କରିବା ଲାଗି ପ୍ରସ୍ତାବ ଆଣିଥିଲେ। ଏହାକୁ ସମର୍ଥନ ଜଣାଇଥିଲେ ରାଜ୍ୟସଭାରେ ବିଜେପିର ନେତା ଥାୱରଚାନ୍ଦ ଗେହଲଟ। ପରେ ଦୁଇ ପ୍ରାର୍ଥୀଙ୍କ ଲାଗି ମୁହଁରେ ସମର୍ଥନ ଜଣାଇବାକୁ ସମସ୍ତ ସଦସ୍ୟଙ୍କୁ ଜଣାଇଥିଲେ ଉପରାଷ୍ଟ୍ରପତି। ସଂଖ୍ୟା ଦୃଷ୍ଟିରୁ ଅଧିକ ବହୁମତ ତଥା ଅଧିକ ସଦସ୍ୟଙ୍କ ସମର୍ଥନ ପାଇ ହରିବଂଶ ପୁନଶ୍ଚ ଜିତିଛନ୍ତି। ବିରୋଧୀ ପ୍ରାର୍ଥୀ ମନୋଜ ଝା ହାରିଛନ୍ତି।
ଏହି ଅବସରରେ ଗୃହରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ‘ମୋ ମନରେ ହରିବଂଶ ଜୀଙ୍କ ପ୍ରତି ଯେଉଁ ସମ୍ମାନ ରହିଛି ଗୃହର ଅନ୍ୟ ସଦସ୍ୟଙ୍କ ମନରେ ମଧ୍ୟ ତାହା ରହିଛି। ସେ ଏହି ସମ୍ମାନ ନିଜେ ରୋଜଗାର କରିଛନ୍ତି। ସଂସଦରେ ତାଙ୍କର ନିରପେକ୍ଷ ଭୁମିକା ଆମ ଗଣତନ୍ତ୍ରକୁ ମଜବୁତ କରିଛି’।
ଗୃହରେ ମୁଖ୍ୟ ବିରୋଧୀ ଦଳ ନେତା ଥିବା ଗୁଲାମ ନବୀ ଆଜାଦ କହିଛନ୍ତି କି, ‘ଦ୍ବିତୀୟ ଥର ପାଇଁ ସେ ଗୃହର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ମୁଁ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଉଛି। ତାଙ୍କୁ ସମସ୍ତ ଦଳର ସଦସ୍ୟ ହିସାବରେ କାର୍ଯ୍ୟ କରିବାକୁ ହେବ’।