ନୂଆଦିଲ୍ଲୀ: କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହରନାଜଙ୍କୁ ହିଜାବ ବିବାଦକୁ ନେଇ କେତେକ ପ୍ରଶ୍ନ ପଚରାଯାଇଥିଲେ । ଉତ୍ତରରେ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କହିଥିଲେ ଯେ, ପ୍ରତିଟି ଝିଅର ନିଜର ପସନ୍ଦ ରହିଛି । ତେଣୁ ଆମ ଦେଶରେ ଝିଅମାନେ କେମିତି ନିଜ ବଞ୍ଚିବେ ଓ ସେ କ’ଣ ପିନ୍ଧିବେ କ’ଣ ନାହିଁ ସେ ବିଷୟରେ କହିବାକୁ କାହାକୁ ଅଧିକାର ନାହିଁ । ଯେଉଁମାନେ ଏହାକୁ ନେଇ ରାଜନୀତି କରୁଛନ୍ତି ସେମାନେ ଭୁଲ୍ । ତାଙ୍କର ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜଙ୍କୁ ଜୋରଦାର ଟ୍ରୋଲ କରାଯାଇଥିଲା । ଏ ନେଇ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ । ସେ କହିଛନ୍ତି ଯେ, ଦେଶର ମୁଁ ଜଣେ ନାଗରିକ ।
ଦୁନିଆରେ ଯାହା ଘଟୁଛି ଏହା ଉପରେ ଆପଣଙ୍କର ନିଜର ଦୃଷ୍ଟିକୋଣ ରହିବା ଜରୁରୀ । ସେ ଆହୁରି ମଧ୍ୟ କହିଛନ୍ତି ମୁଁ କେବଳ ମୋର ଦୃଷ୍ଟିକୋଣ ରଖିଛି । ଯଦି ଝିଅମାନେ ହିଜାବ ପିନ୍ଧନ୍ତି ତେବେ ଏହା ସେମାନଙ୍କର ପସନ୍ଦ ଓ ସେମାନଙ୍କ ଇଚ୍ଛା । ସେମାନଙ୍କର ଇଚ୍ଛା ଅନୁଯାୟୀ ତାଙ୍କୁ ବଞ୍ଚିବାକୁ ଅନୁମତି ଦିଆଯିବା ଉଚିତ । ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଦେଖାଦେଇଥିଲା । ଏକ ସରକାରୀ କଲେଜର କିଛି ଛାତ୍ରୀ ହିଜାବ ପିନ୍ଧି କଲେଜ ଆସିଥିବାରୁ ତାଙ୍କୁ କ୍ଲାସରେ ବସିବାକୁ ଦିଆଯାଇନଥିବା ଅଭିଯୋଗ କରିଥିଲେ । ଏହାପରେ ବିବାଦ ବଢ଼ି ବଢ଼ି ଦେଶରେ ବ୍ୟାପିଯାଇଥିଲା