ହାଥ୍ରସ ଗଣଦୁଷ୍କର୍ମ: ତିନିଜଣଙ୍କୁ ତ୍ରାହି, ଜଣକୁ ଆଜୀବନ

ଅନିଚ୍ଛାକୃତ ହତ୍ୟା ମାମଲାରେ ସନ୍ଦୀପକୁ ଆଜୀବନ କାରାଦଣ୍ଡ ପ୍ରଦାନ କରାଯାଇଛି…

ନୂଆଦିଲ୍ଲୀ: ପ୍ରାୟ ଅଢେ଼ଇ ବର୍ଷ ପରେ ହାଥ୍ରସ ଗଣଦୁଷ୍କର୍ମ ମାମଲାର ବିଚାର କରିଛନ୍ତି ଏସ୍‌ସି-ଏସ୍‌ଟି କୋର୍ଟ । ଚାରିଜଣ ଅଭିଯୁକ୍ତଙ୍କ ଭିତରୁ କେବଳ ସନ୍ଦୀପ ଠାକୁରଙ୍କୁ ଦୋଷୀ କରିଛନ୍ତି କୋର୍ଟ । ଅନ୍ୟ ତିନିଜଣ ଅଭିଯୁକ୍ତ ଲବକୁଶ ସିଂହ, ରାମୁ ସିଂହ ଓ ରବି ସିଂହକୁ କୋର୍ଟ ଖଲାସ କରିଛନ୍ତି । ଅନିଚ୍ଛାକୃତ ହତ୍ୟା ମାମଲାରେ ସନ୍ଦୀପକୁ ଆଜୀବନ କାରାଦଣ୍ଡ ପ୍ରଦାନ କରାଯାଇଛି।

ସାକ୍ଷୀଙ୍କ ବୟାନକୁ ଭଲ ଭାବରେ ଅଧ୍ୟୟନ କରିବା ପରେ କୋର୍ଟ ଗଣଦୁଷ୍କର୍ମକୁ ଖଣ୍ଡନ କରିଛନ୍ତି । ପୀଡ଼ିତଙ୍କ ଓକିଲ କହିଛନ୍ତି ଯେ ଗୁରୁବାର ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ । ଗୁରୁବାର ସକାଳେ ଚାରି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ରାୟ ପ୍ରକାଶ ପାଇବାକୁ ଥିବାରୁ କୋର୍ଟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।
ଘଟଣା ୨୦୨୦ ସେପ୍ଟେମ୍ବର ୧୪ ତାରିଖର ।

ହାଥ୍ରସ ଅନ୍ତର୍ଗତ ଚନ୍ଦପା ଅଂଚଳରେ ଜଣେ ଦଳିତ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଯୁବତୀଙ୍କ ଗ୍ରାମର ଚାରିଜଣ ଯୁବକଙ୍କୁ ଅଭିଯୁକ୍ତ କରାଯାଇଥିଲା । ପୀଡ଼ିତାଙ୍କର ଜିଭକୁ ନିଷ୍ଠୁରତାର ସହ କାଟି ଦିଆଯାଇଥିଲା । ପୀଡ଼ିତାଙ୍କ ଭାଇ ଗ୍ରାମର ସନ୍ଦୀପ ଠାକୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଯୁବତୀଙ୍କ ବୟାନକୁ ଢାଲ କରି ପୁଲିସ ୨୬ ତାରିଖ ଦିନ ଅନ୍ୟ ତିନିଜଣ ଅଭିଯୁକ୍ତ ଲବକୁଶ ସିଂହ, ରାମୁ ସିଂହ ଓ ରବି ସିଂହଙ୍କୁ ଗିରଫ କରି ପରେ କୋର୍ଟଚାଲାଣ କଲା ।