ଭାରତୀୟ ବଂଶୋଦ୍ଭବ କାନାଡାର ନୂଆ ପ୍ରତିରକ୍ଷା ମନ୍ତ୍ରୀ

ଟୋରେଣ୍ଟା : ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ କାନାଡାର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାପରେ ଅନୀତା ଆନନ୍ଦଙ୍କୁ ନୂଆ ପ୍ରତିରକ୍ଷା ମନ୍ତ୍ରୀ ପଦ ମିଳିଛି । ଦୀର୍ଘ ଦିନ ଧରି ପ୍ରତିରକ୍ଷା ମନ୍ତ୍ରୀ ଥିବା ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ହରଜିତ ସଜ୍ଜନଙ୍କ ସ୍ଥାନରେ ଅନୀତା ଏହି ନୂଆ ଦାୟିତ୍ୱ ନେଇଛନ୍ତି । ଅନ୍ୟପକ୍ଷେ ସଜ୍ଜନ ଅନ୍ତର୍ଜାତୀୟ ବିକାଶ ସଂସ୍ଥାରେ ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । କାନାଡାର ନୂଆ କ୍ୟାବିନେଟରେ ୩୮ ସଦସ୍ୟ ରହିଛନ୍ତି । ଏହି କ୍ୟାବିନେଟରେ ଅଧା ସଦସ୍ୟ ମହିଳା ରହିଛନ୍ତି । ଆନନ୍ଦ ଦ୍ୱିତୀୟ ମହିଳା ଭାବେ କାନାଡାର ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅନୀତା ଆନନ୍ଦ ଏହି ପଦବି ପାଇଁ ପ୍ରତିରକ୍ଷା ଶିଳ୍ପ ବିଶେଷଜ୍ଞଙ୍କ ମଧ୍ୟରେ ଜଣେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ଆନନ୍ଦଙ୍କ ସମେତ ୩ ଜଣ ଭାରତୀୟ ବଂଶୋଦ୍ଭବ କାନାଡୀୟ ରାଜନେତା ଟ୍ରୁଡୁଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ଜଣାପଡିଛି ।