ହାତ ତିଆରି ହେଲିକପ୍ଟର ଉଡ଼ାଇବାକୁ ଚେଷ୍ଟା କରୁଥିଲେ, ଉଡ଼ିଗଲା ପ୍ରାଣବାୟୁ

ମଣିଷ ମନକୁ ପଢ଼ିବା ବଡ଼ କଷ୍ଟକର । ମଣିଷର ଇଛାଶକ୍ତି ମଣିଷକୁ ସାଧାରଣରୁ ଅସାଧାରଣ କରିଥାଏ । ନିଜ ହାତରେ ତିଆରି କରିଥିଲେ ହେଲିକପ୍ଟର । ସେହି ହେଲିକପ୍ଟରଟିକୁ ଚଲାଇବାକୁ ଉଦ୍ୟମ କରି ଶୋଚନୀୟ ଭାବେ ପ୍ରାଣ ହରାଇଛନ୍ତି ।

ମୃତ ବ୍ୟକ୍ତିଙ୍କ ନାମ ଭ୍ଲାଡିମିର ଟ୍ରାପେଜନିକୋଭ । ତାଙ୍କ ବୟସ ୮୮ ବର୍ଷ ହୋଇଥିଲା । ରୁଷିଆର କାଇରୋଭ ଅଂଚଳର ବାସିନ୍ଦା । ଭ୍ଲାଡ଼ିମିରଙ୍କୁ ଜାଣିଥିବା ଲୋକମାନେ କହନ୍ତି, ହେଲିକପ୍ଟର ତିଆରି କରିବା ଭ୍ଲାଡିମିରଙ୍କର ଏକ ନିଶା ଥିଲା । ବିଧିବଦ୍ଧ ଭାବେ କୌଣସି ବୈଷୟିକ ଶିକ୍ଷାନୁଷ୍ଠାନରୁ ପାଠ ପଢ଼ି ନଥିଲେ ମଧ୍ୟ ତାଙ୍କର ପ୍ରବଳ ଇଛାଶକ୍ତି ତାଙ୍କୁ ଜଣେ ସଫଳ ମେକାନିକ୍ କରିଥିଲା ।

ବିଧିବଦ୍ଧ ଭାବେ ହେଲିକପ୍ଟର ଉଡ଼ାଇବାର ତାଲିମ ପାଇ ନଥିଲେ ଭ୍ଲାଡିମିର ଯାହା ତାଙ୍କ ପାଇଁ କାଳ ହେଲା । ଚାଳକ ଆସନରେ ବସିବା ପରେ ଭ୍ଲାଡିମିର ଇଞ୍ଜିନ ଷ୍ଟାର୍ଟ କରିଥିଲେ । ଇଞ୍ଜିନ ଷ୍ଟାର୍ଟ କରିବା ମାତ୍ରେ ମୁଖ୍ୟ ରୋଟର ଘୁରିବା ଆରମ୍ଭ କରିଥିଲା । ରୋଟର ଘୁରୁଥିବା ସମୟରେ ସେଥିରେ ଲଗା ଯାଇଥିବା ବ୍ଲେଡ୍ ହୁଗୁଳି ଯାଇଥିଲା । ବ୍ଲେଡଟି ଭ୍ଲାଡିମିରଙ୍କୁ ଆଘାତ ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଗଲା ।
ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା ।

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟିର ପଞ୍ଜୀକରଣ କରାଯାଇ ନଥିଲା । ଭ୍ଲାଡିମିର ପିଲାଦିନରୁ ପାଇଲଟ୍ ହେବାର ସ୍ୱପ୍ନ ଦେଖି ଆସୁଥିଲେ । ଏକ ପରିବହନ କମ୍ପାନୀରେ ଗାଡ଼ି ଚାଳକ ଥିଲେ । ଅବସର ସମୟରେ ହେଲିକପ୍ଟର ତିଆରି କାମରେ ଲାଗି ପଡୁଥିଲେ । ୧୯୮୫ରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ପାନୋରାମା’ରେ ତାଙ୍କ ହାତ ତିଆରି ହେଲିକପ୍ଟରକୁ ସୁଟିଂ କରାଯାଇଥିଲା । ତାଙ୍କ ହେଲିକପ୍ଟରଟିକୁ ଅଧିକାଂଶ ଲୋକ ତାରିଫ କରିଥିଲେ । ସେ ଅନ୍ୟୁନ ୫ଟି ହେଲିକପ୍ଟର ନିର୍ମାଣ କରିଥିଲେ । ସେହି ହେଲିକପ୍ଟର ଭିତରୁ ଗୋଟିଏ ତାଙ୍କର ଜୀବନ ନେଇଗଲା ।