ନୂଆଦିଲ୍ଲୀ: ‘ଦୋଷ କରୁଛନ୍ତି ହାତଗଣତି ଲୋକ, ହିଂସା ରକ୍ତପାତରେ ମରୁଛନ୍ତି ଜାତି, ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ସବୁ ବର୍ଗର ଲୋକ । ନୀଚମନା ଲୋକଙ୍କ ନେତୃତ୍ୱରେ ଗଠିତ ଦେଶ ବିରୋଧୀ ସଂଗଠନ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ।’ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପସ୍ଥିତିରେ ମୁସଲିମ ସଂଗଠନ ସମ୍ମିଳନୀରେ ଏଭଳି ମତାମତ ପ୍ରକାଶ ପାଇଛି । ଦିଲ୍ଲୀରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ସୁଫି ସଜ୍ଜାଦନଶୀନ କାଉନସିଲ ଇଂଟରଫେଥ୍ ସମ୍ମିଳନୀରେ ଯୋଗଦାନ କରି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଲେ, କିଛି ସଂଗଠନ ଏଭଳି ହୀନ ପରିବେଶ ସୃଷ୍ଟି କରୁଛନ୍ତି ଯାହାର ପରିଣାମ ସ୍ୱରୂପ ଭାରତର ବିକାଶ ରାସ୍ତାରେ ନାନା ପ୍ରତିବନ୍ଧକ ଉପୁଜୁଛି ।
ସେହି ଦୁଷ୍ଟ ଶକ୍ତିଗୁଡ଼ିକ ଧର୍ମ ଓ ବିଚାରଧାରା ଆଳରେ ଘୃଣା ଓ ପ୍ରତିହିଂସା ପରାୟଣ ବାତାବରଣକୁ ସମୃଦ୍ଧ କରୁଛନ୍ତି । ତା’ର କୁପ୍ରଭାବ ସାରାଦେଶ ଓ ବିଦେଶରେ ପ୍ରତିଫଳିତ ହେଉଛି । କାଉନସିଲ ଅଧ୍ୟକ୍ଷ ହଜରତ୍ ସୈୟଦ ନସିରୁଦ୍ଦିନ୍ ଚିସ୍ତି କହିଛନ୍ତି, ‘ଶରୀରରୁ ମୁଣ୍ଡ ଅଲଗା କରିବା ଆମ ଆହ୍ୱାନ ନୁହେଁ ।’ ଏଭଳି ବିଚାରଧାରା ଇସଲାମ ବିରୋଧୀ । ସରକାର କଟ୍ଟରପନ୍ଥୀ ସଂଗଠନ ବିରୋଧୀ ସ୍କ୍ୱାଡ୍ ଗଠନ କରନ୍ତୁ । ସବୁ ମୁସଲିମ ସଂଗଠନ ଏକଜୁଟ୍ ହୋଇ ସ୍କ୍ୱାଡ୍ ପରାମର୍ଶ ମୁତାବକ କାମ କରନ୍ତୁ । ‘ପିଏଫଆଇ’ର ଦେଶଦ୍ରୋହ କାର୍ଯ୍ୟକଳାପ ବିରୋଧରେ କିଛି ପ୍ରମାଣ ଥିଲେ, ସରକାର ଉକ୍ତ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ହାତଗଣତି ଲୋକ ଧର୍ମ ନାମରେ ଅରାଜକତା ସୃଷ୍ଟି କରୁଛନ୍ତି ।