ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ମୁହଁରୁ ଏହି କଥା ଶୁଣି କହିଲେ ମହିଳା, ‘ଆପଣଙ୍କୁ ମୁଁ ପାଗଳୀ ଭଳି ଲାଗୁଛି?’

ମୁମ୍ବାଇ: ଗୋଟିଏ ଛାଡ଼ପତ୍ର ମାମଲାର ବିଚାର କରୁଥିବା ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଗଭାଇ ବିବାହିତା ମହିଳାଙ୍କୁ କହିଲେ, ‘ଆପଣ ଉଚ୍ଚଶିକ୍ଷିତ । ଚେଷ୍ଟା କଲେ, ଭଲ ଦରମାରେ ଚାକିରି ପାଇଯିବ । ଆରାମରେ ଚଳିପାରିବ, ସ୍ୱାମୀଙ୍କ ନିକଟରୁ ୧୨ କୋଟି ଦାବି କରୁଛ?’ ଏତକ ଶୁଣିବା ପରେ ମହିଳା ଜଣକ କହିଲେ, ‘ମୋ ସ୍ୱାମୀଙ୍କୁ ବିଚରା କହି ମୋ ଦାବିକୁ ଏଡାଇ ଦିଅନ୍ତୁନି ହଜୁର । ମାତ୍ର ୧୮ ମାସ ଧରି ମୋ ସହ ଘର କରିବା ପରେ ମୋତେ ପାଗଳୀ ଦର୍ଶାଇ ଛାଡ଼ପତ୍ର ଦାବି କରୁଥିବା ବ୍ୟକ୍ତି ଭାରି ଚାଲାକ । ସେ ଗରିବ ହୋଇଥିଲେ ଏତେ ଦାବି କରି ନଥାନ୍ତି । ପ୍ରତିଷ୍ଠିତ ପରିବାରର ରୋଜଗାରକ୍ଷମ ପତିଙ୍କ ନିକଟରୁ ଗୋଟିଏ ଫ୍ଲାଟ୍‌, ଗୋଟିଏ ବି ଏମ୍ ଡବ୍ଲ୍ୟୁ ଓ ୧୨ କୋଟି ଏକକାଳୀନ ରାଶି ଦାବି କରି କିଛି ଭୁଲ କରିନି ।’

ମହିଳା ଜଣକ ପୁଣି କହିଲେ,‘ହଜୁର, ମୋ ବିରୋଧରେ ଯୋଉ ଅଭିଯୋଗ କରାଯାଇଛି । ତା’ ଉପରେ ଟିକେ ନଜର ପକାନ୍ତୁ । ମୋତେ ପାଗଳୀ ଦର୍ଶାଇ ମୋତେ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି ମୋ ସ୍ୱାମୀ । ତାଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ, ମୋ ପକ୍ଷେ ଚାକିରି ମିଳିବା କଷ୍ଟକର ହୋଇପଡ଼ିବ । ଗୋଟିଏ ମାନସିକ ରୋଗୀକୁ କିଏ ଚାକିରି ଦେବ?

ମୋ ପତିଦେବ ଭାରି ଧନୀ, ତାଙ୍କ ପକ୍ଷେ ୧୨ କୋଟି ଟଙ୍କା ଓ ଗୋଟିଏ ଫ୍ଲାଟ୍ ଦେବା ଆଦୌ କଷ୍ଟଦାୟକ ହେବନି ।’ ‘ହଜୁର, ମୁଁ ଜଣେ ମାନସିକ ରୋଗୀ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କର ହୃଦବୋଧ ହେଉଛି?’ ମହିଳାଙ୍କ ନିକଟରୁ ଏପରି ପ୍ରଶ୍ନ ଶୁଣିବା ପରେ ସୁପ୍ରିମକୋର୍ଟ ଅଡୁଆରେ ପଡ଼ି ଯାଇଛନ୍ତି ।