ନୂଆଦିଲ୍ଲୀ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ଚାଲିଯିବା ଖବର ଶୁଣିବା କ୍ଷଣି ଆମ ପରିବର୍ତନ ଦଳ ଆବାହକ ସୀତାରାମ ବେହେରା କହିଛନ୍ତି, ଜେଏମ୍ଏମ୍ର ଗୋଟିଏ ହେମନ୍ତ ସୋରେନ୍ଙ୍କ ଉପରେ ନିର୍ବାଚନ କମିଶନ ଦୃଷ୍ଟି ପଡ଼ିଗଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦାଢ଼ିରେ ଉକୁଣି ଭଳି ମାଳମାଳ ହେମନ୍ତ ସୋରେନ୍ ଲୁଚି ରହିଛନ୍ତି । ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାର ତାକତ୍ ନିର୍ବାଚନ କମିଶନ ପାଖରେ ନାହିଁ କାରଣ ସେମାନେ ମୋଦୀଙ୍କ ଦାଢ଼ିର ଗୌରବ ବଢ଼ାଉଛନ୍ତି । ମୋଦୀଙ୍କ କ୍ୟାବିନେଟର ସବୁ ମନ୍ତ୍ରୀ ସାମ୍ବିଧାନିକ ପଦବୀର ଅପବ୍ୟବହାର କରୁଛନ୍ତି । ନିର୍ବାଚନ କମିଶନ ସବୁ ଜାଣି ସେମାନଙ୍କୁ ଖୁଲମ୍ ଖୁଲା ଛାଡ଼ି ଦେଇଛନ୍ତି ।
ଦୁଇ ଦୁଇଥର ପ୍ରଧାନମନ୍ତ୍ରୀ ପଦରେ ରହିବା ଭିତରେ ମୋଦୀ ନିଜ ଦଳର ଅନ୍ୟନେତାଙ୍କୁ ଗାତରେ ପକାଇବା ପାଇଁ ସବୁ ବନ୍ଦୋବସ୍ତ କରୁଛନ୍ତି । ପରିଣାମ ସ୍ୱରୂପ ଆଗାମୀ ନିର୍ବାଚନରେ ବିଜେପି ମେଂଟକୁ କଷ୍ଟେମଷ୍ଟେ ୨୫୦ ଆସନ ମିଳିବ । ଖାଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ନୁହନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟର ବହୁ ମନ୍ତ୍ରୀ ଓ ସାଂସଦ ସେମାନଙ୍କ ପାରିବାରିକ ବ୍ୟବସାୟକୁ ସୁଦୃଢ଼ କରିବା ପାଇଁ ସାମ୍ବିଧାନିକ ପଦପଦବୀର ଅପବ୍ୟବହାର କରୁଛନ୍ତି । ସେ ଦୃଷ୍ଟିରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମସ୍ତବଡ଼ ଭୁଲ କରିନାହାନ୍ତି । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀ ତାଙ୍କ ପୁଅ ଜଗନ ମୋହନ ରେଡ୍ଡୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଓ କ୍ଷମତାର ଅପବ୍ୟବହାର କରିଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବଳରେ ତାଙ୍କ ପୁଅର ବ୍ୟବସାୟିକ କଳେବର ଏବେ ୧୪୦୦ କୋଟି ଟଙ୍କାରେ ପହଂଚିଛି ।
କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସମୟରେ ପୁତ୍ରମୋହରେ ପଡ଼ି ସାମ୍ବିଧାନିକ ପଦବୀର ଅପବ୍ୟବହାର କରି ଜେଲ ଭୋଗିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ତାଙ୍କ ପରିବାରକୁ ଆର୍ଥିକ ସ୍ତରରେ ଏତେ ସମୃଦ୍ଧ କରିଯାଇଛନ୍ତି ଯେ ଯାହାକୁ ବିଜେପି ମେଂଟ ଯେତେ ଖୋଳୁଛି, ସେତିକି ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । ‘ନ୍ୟାସ୍ନାଲ୍ ହେରାଲ୍ଡ’ ସମ୍ବାଦପତ୍ରଟି ଜବାହରଲାଲ୍ ନେହୁରୁଙ୍କ ହାତଗଢ଼ା ଅନୁଷ୍ଠାନ ଯାହା ଏବେ ସିବିଆଇ-ଇଡି ଜାଲରେ ପଡ଼ି ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ବିବାଦୀୟ ଭୂମିକାକୁ ପଦାରେ ପକାଇଛି ।