ହାଏରେ ବିଧାତା; ଆଗ ପିଟିଲେ, ତା’ପରେ ଆଉଁସିଲେ
ରେହମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ମୁଣ୍ଡାଇବାକୁ ରାଜି ହୋଇଛନ୍ତି…..
ପାଟନା: ଗତ ବୁଧବାର ରାଜରାସ୍ତାରେ ଶିକ୍ଷକ ନିଯୁକ୍ତି ଆଶାୟୀଙ୍କ ଉପରେ ପୁଲିସର ଜୁଲମ ଏବେ ଭିନ୍ନ ମୋଡ଼ ନେଇଛି । ବିକ୍ଷୋଭ ପ୍ରଦର୍ଶନ ସମୟରେ ଏଡିଏମ କେକେ ସିଂହଙ୍କଠାରୁ ଲାଠିମାଡ଼ ଖାଇଥିବା ଯୁବକ ଅନିସୁର ରେହମାନ ପ୍ରତି ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ କରୁଣା ଦୃଷ୍ଟି ପଡ଼ିଛି । ରେହମାନ ମାଡ଼ ଖାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଉପ-ମୁଖ୍ୟମନ୍ତ୍ରୀ ଯାଦବ ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଚନ୍ଦ୍ରଶେଖର ସିଂହଙ୍କୁ ଆଦେଶ ଦେଇଛନ୍ତି । ଯାଦବ କହିଛନ୍ତି, ସୋସିଆଲ ମିଡିଆରେ ରେହମାନଙ୍କ ହାଲତ ଦେଖି ସେ ଗଭୀର ମର୍ମାହତ ।
ଏଭଳି କେଉଁ ପରିସ୍ଥିତି ଉପୁଜିଥିଲା ଯାହା ଫଳରେ ଖୋଦ୍ ପାଟନା ଏଡିଏମ କେକେ ସିଂହ ହାତରେ ଲାଠି ଧରି ରେହମାନଙ୍କୁ ମାଡ଼ ମାରିଲେ; ତା’ର ତଦନ୍ତ ରିପୋର୍ଟ ପାଇବା ପରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ । ରେହମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ମୁଣ୍ଡାଇବାକୁ ରାଜି ହୋଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ଯାଦବ ପୁଣି କହିଛନ୍ତି, ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ମହାଗଠବନ୍ଧନ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ଏବେ ଗଠନ ହୋଇଛି; ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଟିକେ ସମୟ ଲାଗିବ । ସେ ପର୍ଯ୍ୟନ୍ତ ସମସ୍ତେ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ ।