କୋଲକାତା: ମାତୃଶକ୍ତି ଉପାସିକା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନରେ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତି ଏତେ ଘୃଣା କାହିଁକି? ତା’ର ଜବାବ କେବଳ ମମତା ଦେଇପାରିବେ । ଆମେ ‘ଜୟ ଶ୍ରୀରାମ’ ଧ୍ୱନି ଶୁଣିବା ମାତ୍ରେ ମମତାଙ୍କ ପ୍ରତିକ୍ରିୟାକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛୁ ମାତ୍ର । ହାଓଡା ନିକଟରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ହଲାଇ ନ୍ୟୁ ଜଳପାଇଗୁଡ଼ି ଅଭିମୁଖେ ବିଦାୟ ଦେବାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ମନୋଜ୍ଞ ପରିବେଶରେ ସବୁ କିଛି ଚାଲିଥିଲା । ଠିକ୍ ସମୟରେ ସଭାସ୍ଥଳରେ ପହଂଚିଲେ ମମତା । କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ସିଭି ଆନନ୍ଦ ବୋଷ ପହଂଚିବା ମାତ୍ରେ ଉପସ୍ଥିତ କର୍ମୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ସେମାନଙ୍କୁ ପାଛୋଟି ନେଇଥିଲେ । ମାତ୍ର ‘ଜୟ ଶ୍ରୀରାମ’ ସ୍ଲୋଗାନ ଶୁଣିବା କ୍ଷଣି ମମତା ବାନାର୍ଜୀ ଉତ୍କ୍ଷିପ୍ତ ହେଲେ । ମଂଚରେ ବସିବାକୁ ସଫା ମନା କରିଦେଲେ ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ଆନନ୍ଦ ବୋଷ ଯେତେ ବୁଝାଇଲେ ମଧ୍ୟ ମମତା ତାଙ୍କ ଜିଦରେ ଅଟଳ ରହିଲେ । ମଂଚରେ ନବସି ମୁଖ୍ୟମନ୍ତ୍ରୀ ବାନାର୍ଜୀ ମଂଚ ସାମ୍ନାରେ ବସିଥିବା ସାଧାରଣ ଲୋକଙ୍କ ଭିତରେ ବସିଲେ । ଊଦ୍ବୋଧନ ଦେବା ଅବସରରେ ମମତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଉକ୍ତ କାର୍ଯ୍ୟକ୍ରମକୁ ଭର୍ଚୁଆଲି ଉଦ୍ଘାଟନ କରିଥିଲେ ।
ମା’ଙ୍କ ପରଲୋକରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ମୋଦୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାରୁ ମମତା ବାନାର୍ଜୀ କହିଥିଲେ, ଆପଣଙ୍କ ମା’ ଆମ ସମସ୍ତଙ୍କର ମା’ । ଆପଣଙ୍କ ମାନସିକ ସ୍ଥିତିକୁ ମୁଁ ବୁଝିପାରୁଛି । ମା’ଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ମୁଁ ପ୍ରାର୍ଥନା କରୁଛି । ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ଯେତିକି ସୁଖ ଆଣିଛି । ସେତିକି ଦୁଃଖ ଆଣିଛି । ସୁଖଦୁଃଖ ଭିତରେ ଆମକୁ ଆଗକୁ ଯିବାକୁ ପଡ଼ିବ ।