ମନ୍ଦିର ଭିତରେ ପୂଜିତ ଜଡ଼ ଠାକୁର ଠାକୁରାଣୀଙ୍କ ପ୍ରତି ଅଧିକ ଭକ୍ତି ସାଧାରଣ ମଣିଷକୁ ଏପରି ଅନ୍ଧ କରି ଦେଉଛି ଯେ ସେ ଜିଅନ୍ତା ମଣିଷ ଉପରେ ଚଢ଼ିଯିବାକୁ ପଛାଉ ନାହିଁ । ରବିବାର ଦିନ ହରିଦ୍ୱାରସ୍ଥିତ ମନସା ଦେବୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଫଳରେ ଅନ୍ୟୁନ ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଭିତରୁ କିଛି କହିଛନ୍ତି, ଆମେମାନେ ଠାକୁରାଣୀଙ୍କ ଦର୍ଶନ କରିବାକୁ ଯାଇ ଦେଖିଲୁ ମନ୍ଦିର ପରିସର ଭିତରେ ପ୍ରବଳ ଜନଗହଳି । ମନ୍ଦିର ମୁଖ୍ୟ ଫାଟକ ବନ୍ଦ କରି ଯାଇଥିଲା । ଘୋର ନିରାଶ ହୋଇ ଲୋକମାନେ ମୁଖ୍ୟ ଫାଟକ ନିକଟରୁ ଫେରୁଥିଲା ବେଳେ ଦଳଚକଟା ପରିସ୍ଥିତି ଉପୁଜିଥିଲା । ଆମ ପିଲାମାନଙ୍କ ଉପରେ ଲୋକମାନେ ଚଢ଼ି ଚାଲି ଯାଉଥିଲେ । କାହାକୁ ଅଟକାଇବାର ଜୁ ପୁଲିସ ନିକଟରେ ନଥିଲା । ମୁଁ ନିଜେ ଦଳାଚକଟାର ଶିକାର ହୋଇଛି ।’
ଦଳାଚକଟାରେ ଆହତ ଜଣେ ବ୍ୟକ୍ତି କହନ୍ତି, ରୁଣ୍ଡ ହୋଇଥିବା ଲୋକଙ୍କ ଭିତରେ ‘ବିଦ୍ୟୁତ୍ ତାର ଛିଣ୍ଡି ଯାଇ ତଳେ ପଡ଼ିଛି, କରେଂଟ ମାରୁଛି, ପଳାଇ ଚାଲ’ ଗୁଜବ ପ୍ରଚାର ହୋଇଗଲା । ଜୀବନ ବିକଳରେ ଲୋକମାନେ ଯୁଆଡ଼େ ପାରିଲେ ଧାଇଁଲେ ।
ଏହି ଦାରୁଣ ଘଟଣା ପାଇଁ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଆହତଙ୍କ ପିଛା ୫୦ ହଜାର ଟଙ୍କା ଦିଆଯିବ ।