ନୂଆଦିଲ୍ଲୀ: ବୀର ସାଭରକରଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ମହା ଅଘାଡ଼ି ମେଂଟ ଭବିଷ୍ୟତକୁ ଲଟକାଇ ଦେଇଛନ୍ତି । ଶିବସେନା ନେତା ସଂଜୟ ରାଉତଙ୍କ ମତରେ ମହା ଅଘାଡ଼ି ମେଂଟ ଯେକୌଣସି ସମୟରେ ଭାଙ୍ଗି ଯାଇପାରେ । ସଂଜୟଙ୍କ ଟିପ୍ପଣୀକୁ ବିଭିନ୍ନ ଦିଗରୁ ବିଚାର କରୁଛନ୍ତି ଉଦ୍ଧବ ଠାକରେ । ଆଗପଛ ବିଚାର ନକରି ମହା ଅଘାଡ଼ି ମେଂଟରୁ ବାହାରି ଯିବା ବୁଦ୍ଧିମାନର କାମ ନୁହେଁ ।
ମହାରାଷ୍ଟ୍ରରେ ଏବେ ବୃହନ୍ ମୁମ୍ବାଇ ମହାନଗର ନିଗମ ନିର୍ବାଚନ ପ୍ରକ୍ରିୟା ଚାଲିଛି । ପ୍ରଥମ ଥର ପାଇଁ ବିଜେପି-ଶିବସେନାର ସିନ୍ଦେ ଟିମ ଓ ଶିବସେନାର ଉଦ୍ଧବ ଟିମ୍ ମୁହାଁମୁହିଁ ହେଉଛନ୍ତି । ଏପରି ସମୟରେ ମହା ଅଘାଡ଼ି ମେଂଟରୁ ବାହାରିଯିବା ଅନୁଚିତ । ବୃହନ୍ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ କଂଗ୍ରେସ-ଏନ୍ସିପି-ଉଦ୍ଧବ ଠାକରେ ଟିମ୍ ମିଳିତ ଭାବେ ଲଢୁଛନ୍ତି । ତେଣୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷତୁଲ୍ୟ ମନ୍ତବ୍ୟକୁ ମହାଦେବଙ୍କ ଭଳି ପିଇ ଚାଲିଛନ୍ତି ଉଦ୍ଧବ ଠାକରେ ।
ଠାକରେ ବାପ-ପୁଅ (ଉଦ୍ଧବ ଠାକରେ-ଆଦିତ୍ୟ ଠାକରେ) ନିକଟରେ ଆଉ କିଛି ବାଟ ନାହିଁ । ଉଦ୍ଧବଙ୍କ ଟିମର ବହୁ ତୁଙ୍ଗ ନେତା କଂଗ୍ରେସ ବିରୋଧରେ ଯାବତୀୟ କଟୁ ମନ୍ତବ୍ୟ ଦେଇ ଚାଲିଛନ୍ତି । ଠିକ୍ ଯେମିତି ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟକୁ ଅଣଦେଖା କରୁଛନ୍ତି ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସ ବହୁ ହିତାକାଂକ୍ଷୀ । ଶିବସେନାର କିଛି ବରିଷ୍ଠ ନେତା ‘କଂଗ୍ରେସ ନିକଟରେ ବଡ଼ଭାଇ ହେବାର କୌଣସି ଯୋଗ୍ୟତା ନାହିଁ’ ବୋଲି ପରିହାସ କରିଛନ୍ତି । ମାତ୍ର ଉଦ୍ଧବ-ଆଦିତ୍ୟ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟେକ ବିବାଦୀୟ ମନ୍ତବ୍ୟକୁ ଅମୃତ ମଣିଛନ୍ତି । ବାପ-ପୁଅ ଠାକ୍ରେ କଂଗ୍ରେସ ନେତ୍ରୀ ସୋନିଆ ଓ ରାହୁଲଙ୍କର ପ୍ରଶସ୍ତି ଗାନ କରୁଛନ୍ତି ।
ମାତ୍ର ରାହୁଲ ଗାନ୍ଧୀ ତାଙ୍କର ଚିରାଚରିତ ଢଙ୍ଗକୁ ବଜାୟ ରଖିଛନ୍ତି । ଯାହା ପାଟିକୁ ଆସୁଛି ବକୁଛନ୍ତି, ଯାହା ଉଚିତ ମଣୁଛନ୍ତି କରୁଛନ୍ତି । ରାଜୀବ ଗାନ୍ଧୀଙ୍କ ସ୍ମାରକୀ ପୀଠରେ ଉଦ୍ଧବ ଠାକରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲା ବେଳେ ରାହୁଲ ଗାନ୍ଧୀ ମୁମ୍ବାଇ ଗସ୍ତରେ ଯାଇ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ସ୍ମାରକୀ ପୀଠକୁ ଗଲେନି କି ଫୁଲଟିଏ ଦେଲେନି । କଂଗ୍ରେସର ‘ଭାରତ ଯୋଡେ଼ା ଯାତ୍ରା’ରେ ଆଦିତ୍ୟ ଠାକରେ ରାହୁଲ ଗାନ୍ଧୀଙ୍କ ପାଖେ ପାଖେ ଯାଉଥିଲା ବେଳେ ରାହୁଲ ବୀର ସାଭରକରଙ୍କ ବିବାଦୀୟ ଚିଠିକୁ ଖୋଲି ଶିବସେନାର ଆଦର୍ଶକୁ ମାଟିରେ ମିଶାଇ ଦେଇଛନ୍ତି ।
ଉପା ମେଂଟରେ ସାମିଲ ଛୋଟଛୋଟ ରାଜନୈତିକ ଦଳଗୁଡ଼ିକର ଭାବାବେଗ ସହିତ ଖେଳିବା କଂଗ୍ରେସ ନେତାମାନଙ୍କର ପୁରୁଣା ରୋଗ । ରାହୁଲ ମନେମନେ ଭାବୁଛନ୍ତି, ଛୋଟଛୋଟ ଦଳଗୁଡ଼ିକୁ ମେଂଟଭୁକ୍ତ କରି ସେ ମସ୍ତବଡ଼ ଦୟା କରିଛନ୍ତି । ଛୋଟଛୋଟ ରାଜନୈତିକ ଦଳ ନିକଟରେ ସ୍ୱାଭିମାନ ବୋଲି କିଛି ନାହିଁ ।
କଂଗ୍ରେସର ଅନ୍ୟ ରାଜନେତାଙ୍କ କଥା ଛାଡ଼ନ୍ତୁ, କଂଗ୍ରେସର ମୁଣ୍ଡ ଓ ମେରୁଦଣ୍ଡ ଭାବେ ପରିଚିତ ରାହୁଲ ଗାନ୍ଧୀଙ୍କ ଚିନ୍ତାଧାରା ବଦଳିବା ଆବଶ୍ୟକ । ସାନଭାଇର ସ୍ୱାଭିମାନକୁ ବଂଚାଇବା ବଡ଼ଭାଇର ପ୍ରଧାନ କର୍ତବ୍ୟ । ମାତ୍ର ରାହୁଲ ଗାନ୍ଧୀ ତାଙ୍କ ଜିଭରେ ଲଗାମ ଟାଣିବାର ଶକ୍ତି ହରାଇ ବସିଛନ୍ତି । ରାହୁଲ ଗାନ୍ଧୀଙ୍କ ଜିଭ ନିୟନ୍ତ୍ରଣ ବାହାରକୁ ଚାଲିଗଲେ, ଉପା ମେଂଟର ଭବିଷ୍ୟତ ଅନ୍ଧାର ଭିତରେ ରହିଯିବ ।