ହୋଟେଲ , ରେସ୍ତୋରାଁରେ ଗରାଖଙ୍କୁ ମନା ‘ଏଲ୍ପିଜି ଚାର୍ଜ’
କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ହୋଟେଲ ଓ ରେସ୍ତୋରାଁଗୁଡ଼ିକ …..
ନୂଆଦିଲ୍ଲୀ: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ହୋଟେଲ ଓ ରେସ୍ତୋରାଁଗୁଡ଼ିକ ପାଇଁ ଏକ ନୂତନ ପରାମର୍ଶବଳୀ ଜାରି କରିଛି। ଏଥିରେ ଗ୍ରାହକଙ୍କ ବିଲ୍ରେ ଏଲ୍ପିଜି ଚାର୍ଜ, ଗ୍ୟାସ୍ ସରଚାର୍ଜ କିମ୍ବା ଏହିଭଳି ଅନ୍ୟାନ୍ୟ ଅତିରିକ୍ତ ଶୁଳ୍କ ଆଦାୟ କରିବାକୁ ନିଷେଧ କରାଯାଇଛି। ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ ଏହି ଅଭ୍ୟାସକୁ ଏକ ‘ଅସାଧୁ ବ୍ୟବସାୟ ଅଭ୍ୟାସ’ ବୋଲି କୁହାଯାଇଛି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏହି ପରାମର୍ଶବଳୀରେ ନିର୍ଦ୍ଦେଶ ଦିଆଯାଇଛି ଯେ କୌଣସି ଶୁଳ୍କ ସ୍ୱୟଂଚାଳିତ ଲାଗୁ କରାଯିବନି।
ଏଥିରେ ଦର୍ଶାଯାଇଛି ଯେ ଇନ୍ଧନ, ବିଦ୍ୟୁତ୍ ଓ ପରିଚାଳନା ଖର୍ଚ୍ଚ ଭଳି ଉପାଦାନଗୁଡ଼ିକ ବ୍ୟବସାୟର ମୋଟ ଖର୍ଚ୍ଚର ଏକ ଅଂଶ। ତେଣୁ ଏଗୁଡ଼ିକୁ ଖାଦ୍ୟ ତାଲିକା ମୂଲ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ତାହାକୁ ଗ୍ରାହକଙ୍କ ବିଲ୍ରେ ଅଲଗା ଭାବେ ଯୋଡ଼ାଯିବ ନାହିଁ।
ଏଲ୍ପିଜି ଚାର୍ଜ ଓ ସେହି ଧରଣର ଅତିରିକ୍ତ ଶୁଳ୍କ ସମ୍ପର୍କରେ ଜାତୀୟ ଗ୍ରାହକ ହେଲ୍ପ ଲାଇନ୍ରେ ମିଳିଥିବା ଅଭିଯୋଗ ଅନୁଯାୟୀ ଅନେକ ରେସ୍ତୋରାଁ ଖାଦ୍ୟର ଧାର୍ଯ୍ୟ ମୂଲ୍ୟ ଉପରେ ଏହି ଚାର୍ଜ ଯୋଡୁଥିଲେ ଯାହା ଗ୍ରାହକଙ୍କ ଉପରେ ଅଯଥା ବୋଝ ସୃଷ୍ଟି କରୁଥିଲା। ସିସିପିଏ ସ୍ପଷ୍ଟ କରିଛି ଯେ ପରିଚାଳନା ଖର୍ଚ୍ଚକୁ ପୃଥକ ବାଧ୍ୟତାମୂଳକ ଶୁଳ୍କ ମାଧ୍ୟମରେ ଆଦାୟ କରିବା ଗ୍ରାହକ ସୁରକ୍ଷା ଆଇନର ଧାରା ୨ (୪୭)ର ଉଲ୍ଲଂଘନ ଅଟେ।
ମେନୁ କାର୍ଡରେ ପ୍ରଦର୍ଶିତ ମୂଲ୍ୟ ହିଁ ଚୂଡ଼ାନ୍ତ ମୂଲ୍ୟ ହେବା ଉଚିତ। ଏହି ନିୟମ ଉଲ୍ଲଂଘନ କରୁଥିବା ପ୍ରତିଷ୍ଠାନଗୁଡ଼ିକ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିସିପିଏ ସତର୍କ କରାଇ ଦେଇଛି। ଯଦି କୌଣସି ହୋଟେଲ ବା ରେସ୍ତୋରାଁ ଏପରି ଚାର୍ଜ ଦାବି କରନ୍ତି, ତେବେ ଗ୍ରାହକମାନେ ତାହାକୁ ହଟାଇବା ପାଇଁ ଅନୁରୋଧ କରିପାରିବେ। ଏହା ସତ୍ୱେ ସମସ୍ୟା ସମାଧାନ ନ ହେଲେ ସେମାନେ ୧୯୧୫ ନମ୍ବରକୁ କଲ୍ କରି ଅଭିଯୋଗ କରିପାରିବେ।